ଭେନେଜୁଏଲାରେ ଶକ୍ତିଶାଳୀ ଭୂକମ୍ପ: ୧୬୪ ମୃତ, ୯୭୧ ଆହତ
ନୂଆଦିଲ୍ଲୀ (ସଂକେତ ଟିଭି): ଭେନେଜୁଏଲାରେ ଗତକାଲି ସନ୍ଧ୍ୟାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଦେଇଯାଇଛି, ଯାହା ବିଂଶ ଶତାବ୍ଦୀ ପରଠାରୁ ଦେଖାଦେଇଥିବା ସବୁଠାରୁ ବିନାଶକାରୀ ଭୂମିକମ୍ପ ବୋଲି କୁହାଯାଉଛି । ମାତ୍ର ୩୯ ସେକେଣ୍ଡ ବ୍ୟବଧାନରେ ଆସିଥିବା ଏହି ଦୁଇ ଝଟ୍କା (ପ୍ରଥମର ତୀବ୍ରତା ୭.୨ ଏବଂ ଦ୍ଵିତୀୟର ତୀବ୍ରତା ୭.୫) ରାଜଧାନୀ କାରାକାସ ସମେତ ପାର୍ଶ୍ୱବର୍ତ୍ତୀ ଅନେକ ସହରକୁ ପୁରା ପ୍ରକମ୍ପିତ କରିଦେଇଛି । ଏପର୍ଯ୍ୟନ୍ତ ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭୧ ଜଣ ଆହତ ହୋଇଛନ୍ତି, କିନ୍ତୁ ଧ୍ୱଂସାବଶେଷ ମଧ୍ୟରୁ ଅଧିକ ମୃତଦେହ ଉଦ୍ଧାର ହେବାର ସମ୍ଭାବନା ରହିଛି ।
ଭେନେଜୁଏଲାର ଉପ-ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ଲା ଗୁଆଇରା ଉପକୂଳ ଅଞ୍ଚଳକୁ ବିପର୍ଯ୍ୟୟ ପୀଡ଼ିତ ଅଞ୍ଚଳ ଘୋଷଣା କରିଛନ୍ତି । ଏହି ଅଞ୍ଚଳରେ ଏକ ୧୦ ମହଲା ହୋଟେଲ ସମେତ ଅନେକ ବଡ଼ ବିଲ୍ଡିଂ ଧ୍ଵଂସ ହୋଇଯାଇଛି । ରାଜଧାନୀ କାରାକାସର ଅଲ୍ଟାମିରା, ବାରୁଟା ଓ ଲସ୍ ପାଲୋସ୍ ଗ୍ରାଣ୍ଡେସ୍ ଭଳି ଘଣାବସତି ଅଞ୍ଚଳରେ ମଧ୍ୟ ଅନେକ ଆବାସିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି, ଯାହାଫଳରେ ଲୋକେ ଆତଙ୍କିତ ହୋଇ ରାସ୍ତାକୁ ବାହାରି ପଡ଼ିଛନ୍ତି ।
ସବୁଠାରୁ ବଡ଼ କ୍ଷତି ଘଟିଛି ସିମୋନ୍ ବୋଲିଭାର୍ ଅନ୍ତର୍ଜାତୀୟ ବିମାନବନ୍ଦରରେ, ଯେଉଁଠାରେ ଛାତ ଭୁଶୁଡ଼ି ପଡ଼ିବାରୁ ବିମାନବନ୍ଦରକୁ ତୁରନ୍ତ ବନ୍ଦ କରିଦିଆଯାଇଛି । ରେଳ, ସଡ଼କ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରାୟ ଠପ୍ ହୋଇପଡ଼ିଛି । ମିରାଣ୍ଡା, ଆରାଗୁଆ, କାରାବୋବୋ ଓ ଫାଲ୍କନ୍ ରାଜ୍ୟରେ ମଧ୍ୟ ପ୍ରବଳ କ୍ଷୟକ୍ଷତି ଘଟିଛି । ଏତେ ଶକ୍ତିଶାଳୀ କମ୍ପନ ଥିଲା ଯେ, ବ୍ରାଜିଲ୍ର ଆମାଜନ୍ ଅରଣ୍ୟ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା ଏବଂ ସେଠାରେ ମଧ୍ୟ ଅଟ୍ଟାଳିକା ଖାଲି କରାଯାଇଥିଲା ।
ଭୂବିଜ୍ଞାନୀମାନଙ୍କ ଅନୁଯାୟୀ, ଭେନେଜୁଏଲା କାରିବିଆନ୍ ଓ ଦକ୍ଷିଣ ଆମେରିକୀୟ ଟେକ୍ଟୋନିକ୍ ପ୍ଲେଟ୍ ମଧ୍ୟରେ ଅବସ୍ଥିତ, ଏବଂ ଏହି ଦୁଇ ପ୍ଲେଟ୍ ପରସ୍ପର ଘସିଯିବା ଫଳରେ ଏତେ ବଡ଼ ଶକ୍ତି ମୁକ୍ତ ହୋଇଛି । ଆମେରିକାର ଭୌଗୋଳିକ ସର୍ବେକ୍ଷଣ ସଂସ୍ଥା (ୟୁଏସଜିଏସ୍) ଅନୁଯାୟୀ, ଏହି ଦୁଇ ଭୂକମ୍ପ ଭୂପୃଷ୍ଠର ନିକଟବର୍ତ୍ତୀ (ଯଥାକ୍ରମେ ୨୨ କିମି ଓ ୧୦ କିମି ଗଭୀରତା) ହୋଇଥିବାରୁ ଏହାର ବିନାଶକାରୀ କ୍ଷମତା ବହୁଗୁଣ ବଢ଼ିଯାଇଛି । ୟୁଏସଜିଏସ୍ ଆଶଙ୍କା କରିଛି ଯେ, ଦୁର୍ଗମ ଅଞ୍ଚଳରୁ ଧ୍ୱଂସାବଶେଷ ହଟାଯିବା ପରେ ମୃତ୍ୟୁସଂଖ୍ୟା ୧୦ ହଜାର ପାର ହୋଇପାରେ ।
ଉଦ୍ଧାର ଟିମ୍, ଆନ୍ତର୍ଜାତୀୟ ରାହାତ ସଂଘ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ଚବିଶ ଘଣ୍ଟା ଧ୍ୱଂସାବଶେଷ ତଳେ ଚାପି ହୋଇଥିବା ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି । ଭୂକମ୍ପ ପରେ କାରିବିଆନ୍ ଦ୍ଵୀପପୁଞ୍ଜରେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା, ଯାହା ପରେ ପ୍ରତ୍ୟାହାର କରାଯାଇଛି । ଏହି ବିପର୍ଯ୍ୟୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି, “ସଙ୍କଟ ମୁହୂର୍ତ୍ତରେ ଭେନେଜୁଏଲାର ଲୋକଙ୍କ ପାଇଁ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ।”
