କେରଳରେ ଆସିଲା କଂଗ୍ରେସ ସରକାର, ସ୍ବଷ୍ଟ ବହୁମତ ହାସଲ କଲା ଦଳ
ଥିରୁଭାନନ୍ତପୁରମ୍(ସଂକେତ ଟିଭି): କେରଳ ବିଧାନସଭା ନିର୍ବାଚନ ୨୦୨୬ର ଭୋଟ୍ ଗଣତି ଜାରି ରହିଛି। ରାଜ୍ୟର ମୋଟ ୧୪୦ଟି ନିର୍ବାଚନମଣ୍ଡଳୀ ପାଇଁ ହୋଇଥିବା ମତଦାନର ଫଳାଫଳ ଆସିଛି। ଏଥିରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ UDFକୁ ସ୍ବଷ୍ଟ ବହୁମତ ମିଳିଛି । କଂଗ୍ରେସକୁ ୬୩ଟି ଆସନ ମିଳିଥିବାବେଳେ କ୍ଷମତାସୀନ ବାମପନ୍ଥୀ ଶିବିର LDFକୁ ଶକ୍ତ ଝଟକା ଲାଗିଛି। ପ୍ରାଥମିକ ଭୋଟ୍ ଗଣତିରେ LDF ୨୫ ଟି ଆସନରେ ବିଜୟୀ ହୋଇଛି ଏବଂ ଗୋଟିଏ ଆସନରେ ଆଗୁଆ ରହିଛି।
ସଦ୍ୟତମ ଫଳାଫଳରେ ବିଜୟର ସଂଖ୍ୟା ପାର କରିବା ପରେ କଂଗ୍ରେସ ନେତାମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଛନ୍ତି। ଥିରୁଭାନନ୍ତପୁରମ୍ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ, ବରିଷ୍ଠ ନେତା ରମେଶ ଚେନ୍ନିଥାଲା ଏବଂ ବରିଷ୍ଠ ସାଂସଦ ଶଶି ଥରୁର ବିଜୟ ଉତ୍ସବ ମନାଇଛନ୍ତି। ଉଭୟ ଭେଣୁଗୋପାଳ ଏବଂ ଚେନ୍ନିଥାଲା ପରସ୍ପରକୁ ଆଲିଙ୍ଗନ କରି ଦଳର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦଳ ଏବେ ସରକାର ଗଠନ କରିବାକୁ ପୂରା ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଛି।
ଚଳିତ ନିର୍ବାଚନରେ ସବୁଠାରୁ ଆକର୍ଷଣୀୟ ଟ୍ରେଣ୍ଡ୍ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରଦର୍ଶନ। ଏଥର ରାଜ୍ୟରେ ଏକ କଡ଼ା ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି। ବାମପନ୍ଥୀଙ୍କ ଗଡ଼ରେ ବିଜେପିର ସ୍ଥିତି ମଜବୁତ ହୋଇଛି, ଏବଂ ଦଳ ଏବେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆସନରେ ଆଗୁଆ ରହିଛି। ବିଶେଷକରି ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପକ୍ଷରେ, ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ସିପିଆଇ(ଏମ) ନେତୃତ୍ୱାଧୀନ LDF ପାଇଁ ଏହି ଫଳାଫଳ ନିରାଶାଜନକ ରହିଛି। ପୂର୍ବ ବିଧାନସଭାରେ LDF ପାଖରେ ୯୯ଟି ଆସନ ଥିଲା।
ସୂଚନାଯୋଗ୍ୟ ଯେ, ଏଥର କେରଳ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ବେଶ୍ ଉତ୍ସାହର ସହ ମତଦାନ କରିଥିଲେ। ରାଜ୍ୟର ପ୍ରାୟ ୨.୭୧ କୋଟି ପଞ୍ଜିକୃତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ରାଜ୍ୟରେ ମୋଟ ୭୮% ରୁ ଅଧିକ ଭୋଟ୍ ଦାନ ହୋଇଥିଲା, ଯାହା କେରଳବାସୀଙ୍କ ଉଚ୍ଚ ରାଜନୈତିକ ସଚେତନତାକୁ ଦର୍ଶାଉଛି। ଏଥର ନିର୍ବାଚନ ମୈଦାନରେ ବିଭିନ୍ନ ଦଳର ସମୁଦାୟ ୮୮୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଏବଂ ବର୍ତ୍ତମାନ ସେମାନଙ୍କର ରାଜନୈତିକ ଭାଗ୍ୟର ନିଷ୍ପତ୍ତି ଘୋଷଣା ହେଉଛି।
