୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏଡିଇଓ
ଭବାନୀପାଟଣା(ସଂକେତ ଟିଭି): ଆବାସ ଯୋଜନାର ବିଲ୍ କରାଇ ଦେବା ପାଇଁ ହିତାଧିକାରୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ପଞ୍ଚାୟତର ଏଡିଇଓ (ADEO) ଦେବେନ୍ଦ୍ର ସାହୁ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ପୂର୍ବରୁ ତାଙ୍କ ନାଁରେ ବହୁ ଅଭିଯୋଗ ରହିଛି।
ଅଭିଯୋଗ ଅନୁଯାୟୀ, ହିତାଧିକାରୀ ଶ୍ରୀବତ୍ସ ଭୋଇଙ୍କ ଆବାସ ଯୋଜନାର ବିଲ୍ କରାଇ ଦେବା ପାଇଁ ଆଟିଗାଁ ପଞ୍ଚାୟତରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର (ADEO) ଦେବେନ୍ଦ୍ର ସାହୁ ଅର୍ଥ ଦାବି କରିଥିଲେ। ଶ୍ରୀବତ୍ସ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଅର୍ଥ ଦେବାକୁ ଅସମର୍ଥ ହୋଇଥିଲେ। ଶେଷରେ ସେ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ADEOଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଆଜି (ମଙ୍ଗଳବାର) ADEO ଜଣକ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ADEOଙ୍କ ଠାରୁ ୬୦୦୦ (ଛଅ ହଜାର) ରଙ୍ଗବୋଳା ଟଙ୍କା ଜବତ କରାଯାଇଛି। ସେହିପରି ଭିଜିଲାନ୍ସ ବିଭାଗ ଜୁନାଗଡ ବ୍ଲକ୍ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି।
ଏହାପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ବିଭାଗର ଡିଏସପି ପ୍ରଦୀପ କୁମାର ଆଇଣ୍ଡ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଦେବେନ୍ଦ୍ର ସାହୁଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି। ପୂର୍ବରୁ ଭବାନୀପାଟଣା ବ୍ଲକ୍ ମେଦିନୀପୁର ପଞ୍ଚାୟତରେ ସେ ଗ୍ରାମ ରୋଜଗାର ସେବକ ଥିବା ସମୟରେ ମନରେଗା ଯୋଜନାରେ ଅନେକ ଅର୍ଥ ଆତ୍ମସାତ୍ କରିବା ସହ ଯୋଜନାରୁ ହେରାଫେରି କରୁଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।
