CrimeFeaturedLatestNews

୧ କୋଟି ୮ ଲକ୍ଷ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ: ବ୍ୟାଙ୍କ ମ୍ୟାନେଜର ଗିରଫ

ଭୁବନେଶ୍ୱର (ସଂକେତ ଟିଭି): କୋରାପୁଟ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ (KCC) ବ୍ୟାଙ୍କର ମାଲକାନଗିରି ଶାଖାରେ ୧ କୋଟି ୮ ଲକ୍ଷ ୭୫ ହଜାର ସରକାରୀ ଅର୍ଥ ଆତ୍ମସାତ ହୋଇଛି। ଏହି ଘଟଣାରେ ବ୍ୟାଙ୍କ ମ୍ୟାନେଜର ସୁଧାଂଶୁ ଖରାଙ୍କ ହାତ ଥିବା ତଦନ୍ତରୁ ଜଣାପଡ଼ିବା ପରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭିଜିଲାନ୍ସ ପକ୍ଷରୁ ଗତକାଲି (ସୋମବାର) ସୁଧାଂଶୁଙ୍କୁ ଗିରଫ କରାଯାଇଛି। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଦୁଇଟି ମାମଲା ନଂ. ୪ ଓ ୫ ପଞ୍ଜିକୃତ କରାଯାଇଛି। ସୁଧାଂଶୁଙ୍କୁ ଏନେଇ ଅଧିକ ପଚରାଉଚରା କରାଯାଉଛି। ଆଜି (ମଙ୍ଗଳବାର) ଅଭିଯୁକ୍ତ ସୁଧାଂଶୁଙ୍କୁ କୋର୍ଟଚାଲାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭିଜିଲାନ୍ସ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ମାଲକାନଗିରି, ଗାଙ୍ଗାଲା, ପାଣ୍ଡ୍ରିପାଣି, ମାର୍କାପଲ୍ଲୀ, ପୋଟେରୁ ଏବଂ ଚଲ୍ଲାଙ୍ଗୁଡ଼ା ଚାଷୀମାନେ ଏହି ବ୍ୟାଙ୍କରୁ ଋଣ ନେଇଥିଲେ। ଚାଷୀମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ଋଣ ପରିଶୋଧ କରିବା ସହ ନିଜର ପୁଞ୍ଜି ମଧ୍ୟ ସମବାୟ ବ୍ୟାଙ୍କରେ ଜମା ରଖିଥିଲେ। ହେଲେ, ଚାଷୀମାନେ ଜମା କରିଥିବା ପ୍ରାୟ ୧ କୋଟି ୮ ଲକ୍ଷ ୭୫ ହଜାର ଟଙ୍କାକୁ ସେମାନଙ୍କ ଖାତାରେ ନ ଜମା କରି ଅଭିଯୁକ୍ତ ମ୍ୟାନେଜର ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ମାଲକାନଗିରି ଆଦର୍ଶ ଥାନାରେ ପୂର୍ବରୁ ଏ ନେଇ ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ଅର୍ଥ ହେରଫେର ହୋଇଥିବା ପ୍ରମାଣ ମିଳିବା ପରେ ସୁଧାଂଶୁଙ୍କ ବିରୋଧରେ ମାମଲା ପଞ୍ଜିକୃତ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୬ ଫେବ୍ରୁଆରୀ ୧୧ରୁ ମାର୍ଚ୍ଚ ୨୪ ମଧ୍ୟରେ LAMPCS ଅଧୀନରେ ଋଣୀ କୃଷକମାନଙ୍କ ଦ୍ୱାରା ଜମା କରାଯାଇଥିବା ୮୬ ଲକ୍ଷ ୮୦ ହଜାର ଟଙ୍କା ଅଭିଯୁକ୍ତ ମ୍ୟାନେଜର ହଡ଼ପ କରିଛନ୍ତି। ସେହିପରି ୯୦ ଜଣ ଚାଷୀଙ୍କୁ ଫସଲ ଋଣ ଭାବରେ ବଣ୍ଟନ କରାଯାଇଥିବା ୨୧ ଲକ୍ଷ ୯୫ ହଜାର ଟଙ୍କାର ସରକାରୀ ଅର୍ଥକୁ ମାର୍ଚ୍ଚ ୩ରୁ ୬ ମଧ୍ୟରେ ସୁଧାଂଶୁ ଅଫିସିଆଲ ରେକର୍ଡ଼ ହେରଫେର କରି ନେଇଯାଇଛନ୍ତି। ଏହି ଘଟଣାରେ ବ୍ୟାଙ୍କର ଅନ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ହାତ ରହିଛି କି ନାହିଁ, ସେନେଇ ଭିଜିଲାନ୍ସ ଅଧିକ ଖୋଳତାଡ଼ କରୁଛି। ତେବେ ବିଭାଗୀୟ ତଦନ୍ତ ପରେ ସୁଧାଂଶୁଙ୍କୁ ଚାକିରିରୁ ନିଲମ୍ବିତ ମଧ୍ୟ କରାଯାଇଛି।