୨ ମାସ ହେଲା ଭତ୍ତା ନାହିଁ: ରାଜ୍ୟ ସରକାରକୁ ବିଜେଡିର କଡ଼ା ସମାଲୋଚନା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଭତ୍ତା ବଣ୍ଟନରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ଏବେ ରାଜନୀତି ଜୋର ଧରିଛି। ମାସ ମାସ ଧରି ହିତାଧିକାରୀ ଭତ୍ତା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି)।
ପୂର୍ବତନ ମନ୍ତ୍ରୀ ତଥା ଦଳର ନୟାଗଡ଼ ବିଧାୟକ ଡ. ଅରୁଣ ସାହୁ କହିଛନ୍ତି, “ବିଜେପି ସରକାରକୁ ଆସିବା ପରେ ସବୁ କ୍ଷେତ୍ରରେ ଲୋକଙ୍କୁ ଧାଡ଼ିରେ ଛିଡ଼ା କରାଉଛି। ବୟସ୍କଙ୍କୁ ଧାଡ଼ିରେ ଛିଡ଼ା କରାଇ ସରକାର ତାଙ୍କୁ ଯେଉଁ ଯନ୍ତ୍ରଣା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ।” ସେ ଆହୁରି କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆର ବାଃ ବାଃ ନେଉଥିବା ଡବଲ ଇଞ୍ଜିନ ସରକାର ଅସହାୟମାନଙ୍କୁ ଆକାଉଣ୍ଟ ମାଧ୍ୟମରେ କି ଘର ପାଖରେ ଭତ୍ତା ଦେଇପାରୁନି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ଭତ୍ତା ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ, କିନ୍ତୁ ବର୍ତ୍ତମାନର ସରକାର ବୟସ୍କଙ୍କୁ ଖର୍ଚ୍ଚାନ୍ତ କରାଇ ଧାଡ଼ିରେ ଛିଡ଼ା କରାଉଛନ୍ତି।
ସେପଟେ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, “ପ୍ରଚାର ସର୍ବସ୍ୱ ରାଜ୍ୟ ସରକାର, ନବୀନ ପଟ୍ଟନାୟକଙ୍କ ସବୁ ଯୋଜନାର ରଙ୍ଗ ଓ ନାମ ପରିବର୍ତ୍ତନ କରିଚାଲିଛନ୍ତି। ନବୀନ ପଟ୍ଟନାୟକ ପ୍ରତି ମାସର ୧୫ ତାରିଖ ପୂର୍ବରୁ ହିତାଧିକାରୀମାନଙ୍କ ଘରେ ଭତ୍ତା ପହଞ୍ଚାଇବାର ଯେଉଁ ବ୍ୟବସ୍ଥା କରିଥିଲେ, ସେ ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।” ସେ ଅଭିଯୋଗ କରିଛନ୍ତି ଯେ ଏହି ସରକାରଙ୍କ ପାଖରେ ସମ୍ବେଦନଶୀଳତା ବୋଲି କିଛି ନାହିଁ ଏବଂ ଲାଗୁଛି ସରକାର ଦେବାଳିଆ ହୋଇଗଲେଣି।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମାଧାନ କରାଯିବ। ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ଦେଖା ଦେଇଥିଲା। ଯେଉଁମାନେ କ୍ୟାସ ଆକାରରେ ଭତ୍ତା ପାଉଥିଲେ, ସେମାନଙ୍କର ସମସ୍ୟା ହୋଇନାହିଁ। ଯେଉଁମାନଙ୍କର ଅନଲାଇନ ଆକାଉଣ୍ଟରେ ଭତ୍ତା ଯାଉଛି ସେମାନଙ୍କ କ୍ଷେତ୍ରରେ ଅବ୍ୟବସ୍ଥା ଦେଖା ଦେଇଛି।’ ସେ ଆଶ୍ୱାସନା ଦେଇଛନ୍ତି ଯେ ଯେଉଁମାନେ ଭତ୍ତା ପାଇନାହାନ୍ତି, ସେମାନେ ଏକକାଳୀନ ପାଇବେ।
