ନିଶାମୁକ୍ତ ଓଡ଼ିଶା ଅଭିଯାନ: ଟପ୍ ଲେଭଲ୍ ସିଣ୍ଡିକେଟ୍ ଟାର୍ଗେଟ୍, ୪ଟି ସ୍ଵତନ୍ତ୍ର କୋର୍ଟ ଗଠନ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାକୁ ସମ୍ପୂର୍ଣ୍ଣ ‘ନିଶାମୁକ୍ତ’ କରିବା ପାଇଁ ରାଜ୍ୟ ପୋଲିସ ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏଥର କେବଳ ଛୋଟ ନିଶା ବେପାରୀ ନୁହେଁ, ବରଂ ନିଶା ସିଣ୍ଡିକେଟ୍ର ଟପ୍ ଲେଭଲ୍ ଅର୍ଗାନାଇଜର ଏବଂ ଅର୍ଥଦାତାମାନଙ୍କୁ ସିଧାସଳଖ ଟାର୍ଗେଟ୍ କରାଯିବ। ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ସମ୍ପର୍କରେ ସୂଚନା ଦେଇ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହି କଡ଼ା ଚେତାବନୀ ଦେଇଛନ୍ତି।
ଡିଜିପି ସୂଚନା ଦେଇଛନ୍ତି ଯେ, ନିଶା କାରବାର ସମ୍ପର୍କିତ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରରେ ୪ଟି ସ୍ୱତନ୍ତ୍ର NDPS କୋର୍ଟ ସ୍ଥାପନ କରିବାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହାଦ୍ୱାରା ନିଶା ମାମଲାର ଶୀଘ୍ର ଫଇସଲା ହୋଇପାରିବ ବୋଲି ଆଶା କରାଯାଉଛି।
ସେହିପରି, ଜଣେ ଏଡିଜିପି ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର Anti Narcotics Task Force (ANTF) ଗଠନ କରାଯିବ। ଏହା ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବ। ପ୍ରତିବର୍ଷ ଅତିକମରେ ୧୦୦ ଜଣ ପ୍ରମୁଖ ଡ୍ରଗ୍ ମାଫିଆଙ୍କ ବିରୋଧରେ NDPS ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରିଯିବ ବୋଲି ଡିଜିପି ସୂଚନା ଦେଇଥିଲେ। ଏହାବ୍ୟତୀତ ସମସ୍ତ ଡ୍ରଗ୍ ହଟସ୍ପଟ୍ ଗୁଡ଼ିକୁ ଚିହ୍ନଟ କରାଯାଇ ନିଷ୍କ୍ରିୟ କରିବାକୁ ଲକ୍ଷ୍ୟ ରକ୍ଷା ଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ଅଭିଯାନରେ ୬୩,୭୨୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ, ଯାହାର ଆନୁମାନିକ ମୂଲ୍ୟ ୧,୯୧୧ କୋଟି ଟଙ୍କା, ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି। ସେହି ସମୟ ମଧ୍ୟରେ ୨,୪୪୫ଟି NDPS ମାମଲା ରୁଜୁ କରାଯାଇ ୪୨୧ ଟନ୍ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୨,୧୦୬ କୋଟି ଟଙ୍କା) ଜବତ କରାଯାଇଥିବା ବେଳେ ୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଡିଜିପି ୱାଇବି ଖୁରାନିଆ ଚେତାଇ ଦେଇଛନ୍ତି, “ନିଶା କାରବାର, ଚୋରାଚାଲାଣ ଓ ମାଦକ ମାଫିଆଙ୍କ ବିରୋଧରେ ଏହି ଲଢ଼େଇ ଆଗାମୀ ଦିନରେ ଆହୁରି ତୀବ୍ର ହେବ। ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି କୌଣସି ପ୍ରକାର କୋହଳ ମନୋଭାବ ପ୍ରଦର୍ଶନ କରାଯିବ ନାହିଁ।”
