କେଜିରୁ ପିଜି ମାଗଣା ଶିକ୍ଷା ଦ୍ୱନ୍ଦ୍ୱ ଦୂରୀକରଣ ପାଇଁ ଏସଓପି, ଛାତ୍ରଙ୍କ ଫି ଫେରସ୍ତ ହେବ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହେବାକୁ ଯାଉଛି। ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସୋମବାର ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗରେ ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।
ନୂତନ ବ୍ୟବସ୍ଥା ଅନୁସାରେ, ସରକାରୀ, ଅଣଅନୁଦାନପ୍ରାପ୍ତ, ବ୍ଲକ୍ ଗ୍ରାଣ୍ଟ କଲେଜ ଏବଂ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କଠାରୁ ଆଡମିଶନ୍ କିମ୍ବା ରି-ଆଡମିଶନ୍ ବାବଦରେ କୌଣସି ଅର୍ଥ ଆଦାୟ କରିପାରିବେ ନାହିଁ। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଯେଉଁ ଛାତ୍ରଛାତ୍ରୀ ଏହି ଶିକ୍ଷାବର୍ଷରେ ପୂର୍ବରୁ ଆଡମିଶନ୍ ଫି ଦେଇସାରିଛନ୍ତି, ସେମାନଙ୍କ ଅର୍ଥ ଏକ ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ଫେରସ୍ତ କରାଯିବ। ଏହା ସହିତ ୬୬୨ ଏବଂ ୪୮୮ ବର୍ଗ କଲେଜଗୁଡ଼ିକୁ ମଧ୍ୟ ଅର୍ଥ ପ୍ରଦାନ କରାଯିବ ଏବଂ ପୂର୍ବରୁ ଛାତ୍ରମାନେ ଯେଉଁ ଅର୍ଥ ଦେଉଥିଲେ, ସେହି ଅର୍ଥ ଏବେ ସରକାର ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ, ଏହି ଘୋଷଣାକୁ ନେଇ ଅଣଅନୁଦାନପ୍ରାପ୍ତ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସେମାନଙ୍କ କହିବା ଅନୁସାରେ, ଛାତ୍ରଛାତ୍ରୀଙ୍କଠାରୁ ଆଦାୟ ହେଉଥିବା ଫି’ରେ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା, ଲାଇବ୍ରେରୀ, ଲ୍ୟାବ୍, ସଫେଇ, ସୁରକ୍ଷା ବ୍ୟବସ୍ଥା ଓ ବିଦ୍ୟୁତ୍ ବିଲ୍ ଭଳି ଦୈନନ୍ଦିନ ଖର୍ଚ୍ଚ ବହନ କରାଯାଉଥିଲା। ସରକାର ଯଦି ଠିକ୍ ସମୟରେ ଅର୍ଥ ପ୍ରଦାନ ନ କରନ୍ତି, ତେବେ କଲେଜ ପରିଚାଳନାରେ ଗୁରୁତର ସମସ୍ୟା ଦେଖାଦେଇପାରେ।
କଲେଜ ପରିଚାଳନା କମିଟିର ଅଭିଯୋଗ, ଅଧ୍ୟକ୍ଷ, ଅଧ୍ୟାପକ ଓ ଶିକ୍ଷାବିତ୍ମାନଙ୍କ ସହ ଆଲୋଚନା ନକରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କଲେଜ ପାଖରେ ପର୍ଯ୍ୟାପ୍ତ ଗଚ୍ଛିତ ପାଣ୍ଠି ନଥିବାରୁ ସରକାର ଯଦି ଆବଶ୍ୟକ ଅର୍ଥ ଆଗୁଆ ନ ଦିଅନ୍ତି, ତେବେ ସଂସ୍ଥା ଚଳାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ, ବୋଲି ୬୬୨ ଅଧ୍ୟାପକ ସଂଘ ସଭାପତି ଗୋଲକ ନାୟକ ପ୍ରକାଶ କରିଛନ୍ତି।
ତେବେ ସରକାର କେଉଁ କେଉଁ ବାବଦରେ କେତେ ପରିମାଣର ଅର୍ଥ ପ୍ରଦାନ କରିବେ, ତାହା ସୋମବାର ପ୍ରକାଶ ପାଇବାକୁ ଥିବା ଏସଓପି ପରେ ସ୍ପଷ୍ଟ ହେବ। ଏହି ଏସଓପି ଉପରେ ଏବେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷାନୁଷ୍ଠାନମାନଙ୍କ ନଜର ରହିଛି।
ସୂଚନାଯୋଗ୍ୟ, ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷାଦାନ ପାଇଁ ‘ଜ୍ଞାନଦୋୟ ଯୋଜନା’ର ଶୁଭାରମ୍ଭ ଚଳିତ ବର୍ଷ କରାଯାଇଛି। ଏହି ଯୋଜନା ୨୦୨୬-୨୭ ଶିକ୍ଷା ବର୍ଷଠାରୁ ଲାଗୁ ହେବ। ଏନେଇ ସାରା ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ‘ଜ୍ଞାନଦୋୟ ଯୋଜନା’ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।
