FeaturedGeneralLatest

ଓମାର-ପାୟଲଙ୍କ ୩୨ ବର୍ଷର ବିବାହ ବିଚ୍ଛେଦକୁ ଆଇନଗତ ମଞ୍ଜୁରୀ

ନୂଆଦିଲ୍ଲୀ (ସଂକେତ ଟିଭି): ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ତାଙ୍କ ପତ୍ନୀ ପାୟଲ ଅବଦୁଲ୍ଲାଙ୍କ ଦୀର୍ଘ ଦିନର ବିବାହ ବିଚ୍ଛେଦ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆପୋଷ ଆଲୋଚନା ଓ ମଧ୍ୟସ୍ଥତା ମାଧ୍ୟମରେ ଉଭୟ ପକ୍ଷ ସମସ୍ତ ମନୋମାଳିନ୍ୟ ଓ ବିବାଦର ସମାଧାନ କରିବା ପରେ ସର୍ବୋଚ୍ଚ ଅଦାଲତ ସେମାନଙ୍କ ବିବାହ ବିଚ୍ଛେଦକୁ ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ପି. ଏସ୍. ନରସିଂହା ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଓମାର ଅବଦୁଲ୍ଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ପକ୍ଷ ରଖି କୋର୍ଟଙ୍କୁ ଜଣାଇଥିଲେ ଯେ, ଉଭୟ ପକ୍ଷ ନିଜ ନିଜର ସ୍ୱାଧୀନତାକୁ ଗ୍ରହଣ କରିଛନ୍ତି ଏବଂ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହୋଇସାରିଛି।

ଉଭୟ ପକ୍ଷ ଆପୋଷ ସମ୍ମତିରେ ବିବାହ ବିଚ୍ଛେଦ ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ଜୁଲାଇ ୨୨ ତାରିଖରେ ଏକ ମିଳିତ ଆବେଦନ ଦାଖଲ କରିଥିଲେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଏହି ବୁଝାମଣା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ସମସ୍ତ ପୂର୍ବ ମାମଲା ଓ ଅଭିଯୋଗକୁ ପ୍ରତ୍ୟାହାର କରିନିଆଯିବ।

୧୯୯୪ ମସିହା ସେପ୍ଟେମ୍ବର ମାସରେ ଓମାର ଏବଂ ପାୟଲଙ୍କ ବିବାହ ହୋଇଥିଲା। କିନ୍ତୁ ମତାନ୍ତର ଯୋଗୁଁ ୨୦୦୯ ମସିହାରୁ ସେମାନେ ଅଲଗା ରହିଆସୁଥିଲେ। ଓମାର ଜମ୍ମୁ-କାଶ୍ମୀରରେ ରହୁଥିବା ବେଳେ ପାୟଲ ଓ ତାଙ୍କର ଦୁଇ ପୁଅ ଦିଲ୍ଲୀରେ ବସବାସ କରୁଛନ୍ତି।

ପୂର୍ବରୁ ଓମାର ଅବଦୁଲ୍ଲା ପାରିବାରିକ ଆଦାଲତ (Family Court) ଏବଂ ଦିଲ୍ଲୀ ହାଇକୋର୍ଟରେ ମାନସିକ ନିର୍ଯାତନା ଓ ସମ୍ପର୍କ ଭାଙ୍ଗିଯିବା ଦର୍ଶାଇ ବିବାହ ବିଚ୍ଛେଦ ପାଇଁ ନିବେଦନ କରିଥିଲେ। କିନ୍ତୁ ୨୦୨୩ ଡିସେମ୍ବର ୧୨ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଓମାର ୨୦୨୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଧ୍ୟସ୍ଥତା କେନ୍ଦ୍ରର ପ୍ରଚେଷ୍ଟା ଫଳରେ ସେମାନଙ୍କ ମଧ୍ୟରେ ଏହି ସଫଳ ସମାଧାନ ହୋଇପାରିଛି।

Leave a Reply

Your email address will not be published. Required fields are marked *