ବନ୍ୟା ମୁକାବିଲା ଲାଗି ଓଡ଼ିଶାକୁ ମିଳିଲା ଅଗ୍ରିମ ୫୦୦ କୋଟି
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (SDRF) ର କେନ୍ଦ୍ରୀୟ ଅଂଶରୁ ଓଡ଼ିଶାକୁ ୫୦୦ କୋଟି ଟଙ୍କା ଅଗ୍ରୀମ ଭାବେ ପ୍ରଦାନ କରିଛନ୍ତି । ୨୦୨୬–୨୭ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ବାବଦରେ ଏହି ଅର୍ଥ ମଞ୍ଜୁର କରାଯାଇଛି । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଅଗଷ୍ଟ ୧ ତାରିଖରେ ଦେଶର ସାତଟି ବନ୍ୟା ପ୍ରଭାବିତ ରାଜ୍ୟ ପାଇଁ ମୋଟ ୨ ହଜାର ୧୧୭ କୋଟି ୮୫ ଲକ୍ଷ ଟଙ୍କାର ଅଗ୍ରୀମ ଅନୁମୋଦନ କରିଥିଲେ । ଏଥିମଧ୍ୟରେ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ସାମିଲ ରହିଛି । ପୂର୍ବରୁ ଓଡ଼ିଶା ପ୍ରଥମ କିସ୍ତି ପାଇ ସାରିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ଭାବେ ଏହି ଅର୍ଥ ରାଜ୍ୟକୁ ମିଳିଛି ।
SDRF ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ରିଲିଫ୍ ଓ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପ୍ରମୁଖ ପାଣ୍ଠି । ଏହା ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନ ନୁହେଁ, ବରଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅବଦାନରେ ଗଠିତ । ସାଧାରଣ ଶ୍ରେଣୀର ରାଜ୍ୟମାନଙ୍କ ପାଇଁ ଏହି ପାଣ୍ଠିର ୭୫ ପ୍ରତିଶତ କେନ୍ଦ୍ର ସରକାର ଓ ୨୫ ପ୍ରତିଶତ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି । ଏହି ଅର୍ଥ ବନ୍ୟା, ବାତ୍ୟା, ଭୂକମ୍ପ, ମରୁଡ଼ି, ଭୂସ୍ଖଳନ, ଅଗ୍ନିକାଣ୍ଡ, ବଜ୍ରପାତ ଓ ଅନ୍ୟାନ୍ୟ ଅଧିସୂଚିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁରନ୍ତ ରିଲିଫ୍, ଉଦ୍ଧାର ଓ ଜରୁରୀ ସହାୟତା କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।
ଏହି ପାଣ୍ଠି ଅଗ୍ରୀମ ମଞ୍ଜୁର ହେବା ଫଳରେ ଓଡ଼ିଶାର ବନ୍ୟା ରିଲିଫ୍, ଉଦ୍ଧାର ଓ ତୁରନ୍ତ ସହାୟତା କାର୍ଯ୍ୟ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ ଓ ନାଗାଲାଣ୍ଡ ମଧ୍ୟ ଏହି ଅର୍ଥ ସହାୟତା ପାଇଛନ୍ତି । SDRF ର ଅର୍ଥ ଅପର୍ଯ୍ୟାପ୍ତ ହେଲେ ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (NDRF) ରୁ ଅତିରିକ୍ତ ସହାୟତା ମାଗିପାରିବେ ।
