ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହେବ ନାହିଁ ଡିଜିପି ନିଯୁକ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ(ସଂକେତ ଟିଭି): ଓଡ଼ିଶାରେ ନୂତନ ଡିଜିପି ନିଯୁକ୍ତି ପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ୟୁପିଏସସି (UPSC)କୁ ମଧ୍ୟ ୧୮ ତାରିଖ ପର୍ଯ୍ୟନ୍ତ ଏହି ବିଷୟରେ କୌଣସି ନିଷ୍ପତ୍ତି ନେବାକୁ ଅନୁମତି ଦିଆଯାଇନାହିଁ। ପରବର୍ତ୍ତୀ ଶୁଣାଣି ପାଇଁ ୧୮ ତାରିଖ ଦିନ ଧାର୍ଯ୍ୟ ହୋଇଛି।
ସାମାଜିକ କର୍ମୀ ଜୟନ୍ତ ଦାସ ଏହି ଜନସ୍ୱାର୍ଥ ମକଦ୍ଦମା (PIL) ଦାଖଲ କରିଥିଲେ। ଆଜି ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା ଏବଂ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ନୂଆ ଡିଜିପି ଚୟନ ପ୍ରକ୍ରିୟା ନେଇ ଅନେକ ପ୍ରଶ୍ନବାଚୀ ଉଠିଛି।
ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ଅଗଷ୍ଟରେ ଶେଷ ହେଉଛି। ତେଣୁ, ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଜ୍ୟ ସରକାର ନୂଆ ଡିଜିପିଙ୍କ ନାମ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ସବୁ ଅନିଶ୍ଚିତ ହୋଇପଡ଼ିଛି।
ଯଦି ରାଜ୍ୟ ସରକାର କୌଣସି ନାମ ଘୋଷଣା କରନ୍ତି ଏବଂ ସୁପ୍ରିମକୋର୍ଟ ସେହି ନାମ ଉପରେ ଆପତ୍ତି ଉଠାନ୍ତି, ତେବେ ସରକାରଙ୍କ ପାଇଁ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସେହିପରି, ଯଦି ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ମଧ୍ୟରୁ ଜଣଙ୍କୁ ଡିଜିପି ଦାୟିତ୍ୱ ଦିଆଯାଏ ଏବଂ ସୁପ୍ରିମକୋର୍ଟ ଏହାକୁ ମାନ୍ୟତା ନଦେଲେ, ତେବେ ସରକାରଙ୍କ ନିକଟରେ ବିକଳ୍ପ କ’ଣ ରହିବ? ଏମିତି ଅନେକ ଜଟିଳ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି।
ଗତ ସୋମବାର, ୧୯୯୪ ବ୍ୟାଚର ଦୁଇ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କୁ ରାଜ୍ୟ ସରକାର ଡିଜି (DG) ପଦବୀକୁ ପଦୋନ୍ନତି ଦେଇଥିଲେ। ଏହାପରେ ରାଜ୍ୟ ପୋଲିସ ମୁଖିଆ ଚୟନ ପାଇଁ ବାଟ ଫିଟିଥିଲା। ପୂର୍ବରୁ, ବରିଷ୍ଠତା ଭିତ୍ତିରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ ଓ ଆର୍.ପି. କୋଚେଙ୍କ ନାମ ଆଗରେ ଥିଲା। କିନ୍ତୁ ପ୍ୟାନେଲରୁ ସୁଶାନ୍ତ ନାଥଙ୍କ ନାମ ବାଦ ପଡ଼ିବା ପରେ ସରକାର ସଞ୍ଜୀବ ପଣ୍ଡାଙ୍କ ନାମକୁ ଆଗକୁ ଆଣିଥିଲେ।
ବରିଷ୍ଠତା ତାଲିକାରୁ ଜଣଙ୍କୁ ବାଦ୍ ଦେବା ଓ ଅନ୍ୟ ଜଣଙ୍କୁ ସାମିଲ କରିବା ନେଇ ସରକାରୀ ସ୍ତରରେ କସରତ ଏବେ ଏକ ନାଟକୀୟ ମୋଡ଼ ଧାରଣ କରିଛି। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାର ନୂଆ ପୋଲିସ ମୁଖିଆ ଚୟନ ପ୍ରକ୍ରିୟା ଆହୁରି ଜଟିଳ ହୋଇପଡ଼ିଛି। ୧୮ ତାରିଖ ପରେ ହିଁ ଏହି ଦିଗରେ ସ୍ପଷ୍ଟତା ଆସିପାରିବ।
