ସରକାରୀ ଜମିରେ ଗଞ୍ଜେଇ ଚାଷ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ସରକାରୀ ଜମିରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଏହି କ୍ରମରେ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ବୋଲି ଘୋଷଣା କରାଯାଇଛି।
ଏ ସଂକ୍ରାନ୍ତରେ ଆଜି (ଶୁକ୍ରବାର) ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ଚିଠି ଲେଖି ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରିକି ଗଞ୍ଜେଇ ମାଫିଆଙ୍କୁ ସହଯୋଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
ବିଶେଷକରି ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବୈଧ ଗଞ୍ଜେଇ ଚାଷରେ ଜଡ଼ିତ ବ୍ୟକ୍ତିମାନେ ପ୍ରତିବର୍ଷ ସମାନ ସରକାରୀ ରାଜସ୍ୱ ଜମିକୁ ପୁନର୍ବାର ଚାଷ ପାଇଁ ବ୍ୟବହାର କରୁଥିବାରୁ ଏଥିପ୍ରତି ସଜାଗ ରହିବାକୁ ରାଜସ୍ୱ ସଚିବ ଶ୍ରୀ ପାଢ଼ୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୬-୨୭ ଫସଲ ଋତୁ ଆରମ୍ଭ ହୋଇଥିବାରୁ ପୂର୍ବରୁ ଚାଷ ନଷ୍ଟ କରାଯାଇଥିବା ଜମିରେ ପୁଣି ଗଞ୍ଜେଇ ଚାଷ ହେବାର ଆଶଙ୍କା ରହିଥିବାରୁ ଏହି ଅଞ୍ଚଳଗୁଡ଼ିକରେ ବିଶେଷ ନଜର ରଖିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ (RI) ଓ ରାଜସ୍ୱ ସୁପରଭାଇଜରମାନଙ୍କୁ ସମନ୍ଵିତ ପଦକ୍ଷେପ ନେବାକୁ କୁହାଯାଇଛି। ପୂର୍ବରୁ ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ଓ ନଷ୍ଟ କରାଯାଇଥିବା ସମସ୍ତ ସରକାରୀ ରାଜସ୍ୱ ଜମି ଉପରେ ନଜର ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗାଆଁ ଏବଂ ପ୍ଲଟ୍ ଅନୁଯାୟୀ ସମ୍ପୃକ୍ତ ଜମିର ବିବରଣୀ ତଥା GPS କୋ-ଅର୍ଡିନେଟ୍ ସଂଗ୍ରହ କରି ପୂର୍ବରୁ ପ୍ରସ୍ତୁତ ରହିବାକୁ କ୍ଷେତ୍ରସ୍ତରର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସରକାରୀ ରାଜସ୍ୱ ଜମିରେ ପୁନର୍ବାର ଅବୈଧ ଗଞ୍ଜେଇ ଚାଷ ଚିହ୍ନଟ ହେଲେ ତୁରନ୍ତ ସମ୍ପୃକ୍ତ ଥାନା, STF କିମ୍ବା ANTFକୁ ଅବଗତ କରିବାକୁ ନିର୍ଦ୍ଦେଶ ରହିଛି।
Narcotic Drugs and Psychotropic Substances (NDPS) Act, ୧୯୮୫ର ଧାରା ୪୭ ଅନୁଯାୟୀ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ତୁରନ୍ତ ଅବଗତ କରାଇବା ସହ ଜିଲ୍ଲାସ୍ତରରେ ଏକ ଉପଯୁକ୍ତ ଆଭ୍ୟନ୍ତରୀଣ ରିପୋର୍ଟିଂ ବ୍ୟବସ୍ଥା ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅବୈଧ ଚାଷ ସମ୍ପର୍କିତ ସୂଚନା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ବିଳମ୍ବ ନକରି ତୁରନ୍ତ ପହଞ୍ଚାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ରାଜସ୍ୱ ସଚିବ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅବୈଧ ଗଞ୍ଜେଇ ଚାଷ ରୋକିବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ ସହ ସମନ୍ୱୟ ରଖିବା ଏବଂ ନିର୍ଦ୍ଦେଶଗୁଡ଼ିକର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ କୁହାଯାଇଛି।
ସେହିପରି ଗଞ୍ଜେଇ ଚାଷରେ ସମ୍ପୃକ୍ତ କୌଣସି ମାଫିଆଙ୍କୁ କୌଣସି ରାଜସ୍ୱ ଅଧିକାରୀ ସହଯୋଗ କରୁଥିବାର ସୂଚନା ମିଳିଲେ ତୁରନ୍ତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅରବିନ୍ଦ କୁମାର ପାଢ଼ୀ କଠୋର ନିର୍ଦ୍ଦେଶ ଜାରି କରିଛନ୍ତି।
