ପତାକାଖୁଣ୍ଟ ପୋତିଲା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶିକ୍ଷକଙ୍କ ମୃତ୍ୟୁ
ସିମୁଳିଆ(ସଂକେତ ଟିଭି): ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଅନ୍ତର୍ଗତ ମଇତାପୁରସ୍ଥିତ ଏକ ଇରାଜୀ ମାଧ୍ୟମ (ଘରୋଇ) ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ ଲାଗି ପ୍ରସ୍ତୁତି ଚାଲିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିଦ୍ୟାଳୟର ଜଣେ କ୍ରୀଡ଼ା ଶିକ୍ଷକଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଶିକ୍ଷକ ଓ ଦୁଇ ଜଣ ଛାତ୍ର ଗୁରୁତର ଆହତ ହୋଇଥିଲେ।
ମୃତକ ଶିକ୍ଷକ ହେଲେ ପ୍ରିୟବ୍ରତ ବାରିକ (୩୨)। ସେ ବିବାହିତ ଏବଂ ଦୁଇ ସନ୍ତାନର ପିତା ବୋଲି ଜଣାପଡ଼ିଛି। ତାଙ୍କ ଘର ଜଳେଶ୍ବର ଅଞ୍ଚଳରେ ବୋଲି ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଆହତ ଶିକ୍ଷକ ଓ ଦୁଇ ଛାତ୍ରଙ୍କୁ ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ସମୟରେ ପତାକା ଉତ୍ତୋଳନ ପାଇଁ ଶିକ୍ଷକ ଜଣକ ପତାକା ଷ୍ଟାଣ୍ଡରେ ଲୁହା ପାଇପ୍ ପୋତିବା ପାଇଁ ଚେଷ୍ଟା କରୁଥିଲେ। ସେତିକି ବେଳେ ସେ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାରରେ ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ବିଦ୍ୟୁତ୍ ଆଘାତରେ ୩ ଜଣ ଛାତ୍ର ମଧ୍ୟ ଗୁରୁତର ହୋଇଥିଲେ। ପରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ଜଣାପଡିଛି।
ଖବର ପାଇ ସିମୁଳିଆ ତହସିଲଦାର ସୌମ୍ୟରଂଜନ ମହାପାତ୍ର, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ଓ ଥାନା ଅଧିକାରୀ ଦେବରାଜ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି। ଏହି ଅଘଟଣ ପରେ ବିଦ୍ୟାଳୟ ପରିସରରେ ଶୋକର ଛାୟା ଖେଳିଯାଇଛି।
