FeaturedLatestNews

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ପ୍ରତ୍ୟେକ ପଞ୍ଚାୟତରେ ଖର୍ଚ୍ଚ ହେବ ୩ କୋଟି ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକ ବୃହତ ଯୋଜନା ହାତକୁ ନେଇଛନ୍ତି। ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କୁ ସହରୀ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପଞ୍ଚାୟତରାଜ ବିଭାଗ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି ବୋଲି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ପ୍ରତ୍ୟେକ ପଞ୍ଚାୟତରେ ଦେଢ଼ କୋଟିରୁ ୩ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ‘ଗ୍ରାମ ସମ୍ପଦ’ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁଗୁଡ଼ିକର ସର୍ବାଙ୍ଗୀନ ବିକାଶ କରାଯିବ। ଏନେଇ ଏକ SOP (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର) ପ୍ରସ୍ତୁତ କରାଯାଇଛି। ଗ୍ରାମସଭାର ସିଦ୍ଧାନ୍ତ ଆଧାରରେ ଏହି ସବୁ କାମ କରାଯିବ। ପଞ୍ଚାୟତଗୁଡ଼ିକରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ଉନ୍ନତ ଢାଞ୍ଚା ନିର୍ମାଣ କରାଯିବ।

ଆଦର୍ଶ ଖେଳ ପଡ଼ିଆ ପାଇଁ ସରକାର ୭୫ ଲକ୍ଷ ଟଙ୍କା ବ୍ୟୟ କରିବେ। ଏଥିରେ ଯୁବକମାନଙ୍କ ପାଇଁ ଜିମ୍ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ରହିବ। ସେହିପରି ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୪୯ ଲକ୍ଷ ଟଙ୍କା ଦିଆଯିବ। ଏହି ମଣ୍ଡପ ୭୦x୩୨ ଫୁଟ ଆକାରର ହେବ ଏବଂ ଏଥିରେ ଦୁଇଟି ଗ୍ରୀନ୍ ରୁମ୍ ସହ ଏକ ପେଣ୍ଡାଲ୍ ରହିବ, ଯେଉଁଠାରେ ନୃତ୍ୟ, ଗୀତ ଓ ନାଟକ ପରିବେଷଣ କରାଯାଇପାରିବ। ଭୋଜିଭାତ ସହ ପଞ୍ଚାୟତ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯିବ।

ଆଦର୍ଶ ପୋଖରୀ ପାଇଁ ୩୪ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏହାର ଚାରିପଟେ ପଥର ବନ୍ଧା ଓ ଫେବର ବ୍ଲକ୍ ଲଗାଯିବ। ସ୍ମଶାନ ଉନ୍ନୟନ ପାଇଁ ୨୨ ଲକ୍ଷ ଟଙ୍କା ଦିଆଯିବ, ଯେଉଁଠାରେ ପାଚେରୀ ଓ ଅନ୍ୟାନ୍ୟ ସୁବିଧା ରହିବ। ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟବହାର କରାଯିବ, ଯେଉଁଥିରେ ଜିମ୍ ଓ ବସିବା ପାଇଁ ଆସବାବପତ୍ର ରହିବ।