ରାଜ୍ୟରେ ବନ୍ୟା ପରିସ୍ଥିତି : ୭ ଜିଲ୍ଲାର ୧୩ ଲକ୍ଷ ବନ୍ୟା ପରିସ୍ଥିତିରେ ପ୍ରଭାବିତ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଏହି ଦୁର୍ଦ୍ଦଶା ଭିତରେ କିଛି ଭଲ ଖବର ମଧ୍ୟ ସାମ୍ନାକୁ ଆସିଛି। ଚଳିତ ପର୍ଯ୍ୟାୟ ବନ୍ୟା ସମୟରେ ମାତୃ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ୧୫୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ଏବଂ ଏପର୍ଯ୍ୟନ୍ତ ୪୪ଟି ହସ୍ପିଟାଲରେ ପ୍ରସବ ସଫଳ ହୋଇଛି।
ସେପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍, ଉଦ୍ଧାର, ପୁନରୁଦ୍ଧାର ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟ ଜୋରଦାର ଚାଲିଛି।
ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର୍ (SEOC) ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଚଳିତ ପର୍ଯ୍ୟାୟରେ ୭ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ସେଗୁଡ଼ିକ ହେଲା: ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼।
ଏହି ଜିଲ୍ଲାଗୁଡ଼ିକର ୭୬ଟି ବ୍ଲକ୍, ୫୦୫ଟି ଗ୍ରାମ ପଞ୍ଚାୟତ, ୧,୭୦୩ଟି ଗାଁ ଏବଂ ୧୨ଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ ୧୩,୪୪,୬୯୮ ଜଣ ଲୋକ ଏହି ବନ୍ୟା ପରିସ୍ଥିତିରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଗତ କିଛି ଦିନ ଧରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ ପରିସ୍ଥିତି ଅପେକ୍ଷାକୃତ ଆହ୍ୱାନପୂର୍ଣ୍ଣ ରହିଥିଲା। ତେବେ ଆଜି ସୁଦ୍ଧା ଅଧିକାଂଶ ପ୍ରମୁଖ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି ଏବଂ ବିପଦ ସଙ୍କେତ ତଳେ ରହିଛି।
ସତର୍କତାମୂଳକ ପଦକ୍ଷେପ ଭାବେ ମୋଟ ୪ ଲକ୍ଷ ୮୭ ହଜାର ୩୫୦ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୮୮୦ଟି ରିଲିଫ୍ ଶିବିରରେ ରଖାଯାଇଛି। ଏହି ଶିବିରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପରିମଳ, ଆଲୋକ, ଚିକିତ୍ସା ସେବା ଓ ରନ୍ଧା ଖାଦ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି।
ଜଳବନ୍ଦୀ ଗାଁଗୁଡ଼ିକରେ ମଧ୍ୟ ରେସପନ୍ସ ଟିମ୍ ଜରିଆରେ ଲୋକଙ୍କ ଘରେ ରନ୍ଧା ଖାଦ୍ୟ ଓ ସୁରକ୍ଷିତ ପାନୀୟ ଜଳ ପହଞ୍ଚାଯାଉଛି। ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ଅଞ୍ଚଳରେ ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି।
ଏପର୍ଯ୍ୟନ୍ତ ୪ ଲକ୍ଷ ୯୫ ହଜାର ୮୩୩ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଆବଶ୍ୟକତା ଅନୁଯାୟୀ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଉଛି। ପ୍ରଭାବିତ ପରିବାରଙ୍କୁ ଏପର୍ଯ୍ୟନ୍ତ ୪,୭୬୫ଟି ପଲିଥିନ ବଣ୍ଟନ କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ୯୩ଟି ମେଡିକାଲ ଆସିଷ୍ଟାନ୍ସ ଟିମ ନିୟୋଜିତ ହୋଇଥିବା ବେଳେ ୧୫୯ଟି ମେଡିକାଲ କ୍ୟାମ୍ପ କରାଯାଇଛି। ଏପର୍ଯ୍ୟନ୍ତ ୧୧,୫୪୯ ଜଣଙ୍କୁ ଚିକିତ୍ସା ସହାୟତା ଦିଆଯାଇଛି।
ମାତୃ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ୧୫୦ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଏପର୍ଯ୍ୟନ୍ତ ୪୪ଟି ହସ୍ପିଟାଲରେ ପ୍ରସବ ସଫଳ ହୋଇଛି। ଆବଶ୍ୟକ ଔଷଧ, ଆଣ୍ଟି-ସ୍ନେକ୍ ଭେନମ୍, ଓଆର୍ଏସ୍ ଓ ଆଇଭି ଫ୍ଲୁଇଡ୍ର ପର୍ଯ୍ୟାପ୍ତ ମହଜୁଦ ନିଶ୍ଚିତ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ରୋଗର ସଂକ୍ରମଣ ବା ମହାମାରୀ ଭଳି ଘଟଣା ସାମ୍ନାକୁ ଆସିନାହିଁ।
ଉଦ୍ଧାର ଓ ଜରୁରୀକାଳୀନ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୧୨୬ଟି ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୩୨ଟି ଓଡ୍ରାଫ୍ ଟିମ୍, ୮ଟି ଏନ୍ଡିଆରଏଫ୍ ଟିମ୍, ୪୬ଟି ଫାୟାର୍ ଆଣ୍ଡ ଇମର୍ଜେନ୍ସି ସର୍ଭିସେସ୍ ଟିମ୍ ଏବଂ ୪୦ଟି ସ୍ଥାନୀୟ ଟିମ୍ ରହିଛି।
ଏହି ଟିମ୍ଗୁଡ଼ିକ ଲଗାତାର ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଉଦ୍ଧାର ଓ ସହାୟତା କାର୍ଯ୍ୟ କରୁଛନ୍ତି। ଏପର୍ଯ୍ୟନ୍ତ ୩୦,୩୦୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୫୫,୧୩୯ ଜଣଙ୍କୁ ଡଙ୍ଗା ଯୋଗେ ସ୍ଥାନାନ୍ତର କରାଯାଇଛି।
ଉଦ୍ଧାରକାରୀ ଦଳ ୪୯୨ଟି ବିଚ୍ଛିନ୍ନ ଗାଁରେ ପହଞ୍ଚିଛନ୍ତି। ଏହା ସହ ୧୨୪ଟି ଜରୁରୀକାଳୀନ ମେଡିକାଲ ଇଭାକ୍ୟୁଏସନ କରାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ୨୧୦ଟି ଡଙ୍ଗା ଓ ବିଭିନ୍ନ ବିଶେଷ ଉପକରଣ ନିୟୋଜିତ ହୋଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ପଶୁସମ୍ପଦର ସୁରକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ୩୯ଟି ରାପିଡ ରେସପନ୍ସ ଟିମ ନିୟୋଜିତ ହୋଇଥିବା ବେଳେ ୧୭୪ଟି ପଶୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ଏପର୍ଯ୍ୟନ୍ତ ୧୫,୯୩୯ଟି ପଶୁଙ୍କୁ ଚିକିତ୍ସା କରାଯାଇଛି।
ପଶୁ ସମ୍ପଦର ଯତ୍ନ ଓ ପ୍ରଭାବିତ ପରିବାରଙ୍କ ଆବଶ୍ୟକତା ପାଇଁ ୧,୪୦୫.୨ ମେଟ୍ରିକ ଟନ ଗୋଖାଦ୍ୟ ଯୋଗାଇ ଦିଆଯାଇଛି।
ବର୍ତ୍ତମାନ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିବାରୁ ପରିସ୍ଥିତିରେ କିଛିଟା ସୁଧାର ଆସିଛି। ତଥାପି ପ୍ରଭାବିତ ଅଞ୍ଚଳରେ ସତର୍କତା ଜାରି ରହିଛି। ଜୀବନ ରକ୍ଷା, ପ୍ରଭାବିତ ପରିବାରଙ୍କୁ ସହାୟତା ଓ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଉପରେ ରାଜ୍ୟର ସମନ୍ୱିତ ରେସପନ୍ସ ବ୍ୟବସ୍ଥା ଗୁରୁତ୍ୱ ଦେଉଛି।
ଆଗକୁ ପରିସ୍ଥିତି ଅନୁଯାୟୀ ଅତିରିକ୍ତ ରେସପନ୍ସ ଟିମ୍ ଓ ସମ୍ବଳ ମୁତୟନ ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର୍ ଜରିଆରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ବନ୍ୟା ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିଛି। ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟରଗୁଡ଼ିକ ସହ ସମନ୍ୱୟ ରକ୍ଷା କରି ରିଲିଫ ବଣ୍ଟନ, ଉଦ୍ଧାର ଏବଂ ଅତ୍ୟାବଶ୍ୟକ ସେବାର ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି।
