FeaturedLatestNews

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଏକ ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଆଉ ନାହାନ୍ତି । ୮୮ ବର୍ଷ ବୟସରେ ଗୁରୁବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗ ଖବର ଆସିବା ପରେ ରାଜ୍ୟର କଳା, ସାହିତ୍ୟ ଓ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଓଡ଼ିଆ ସଙ୍ଗୀତ ଜଗତରେ ପ୍ରଣବ ପଟ୍ଟନାୟକଙ୍କର ଥିଲା ଏକ ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ, ଅନନ୍ୟ ଗାୟନ ଶୈଳୀ ଓ ଭାବପୂର୍ଣ୍ଣ ଉପସ୍ଥାପନା ଯୋଗୁଁ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ । ତାଙ୍କ ଗୀତ ଗୁଡ଼ିକ କେବଳ ମନୋରଞ୍ଜନ ନୁହେଁ, ବରଂ ଓଡ଼ିଆ ସଂସ୍କୃତି ଓ ଭାବନାର ଅଭିନ୍ନ ଅଙ୍ଗ ହୋଇ ରହିଛି ।

୧୯୫୮ ମସିହାରେ ‘ମା’ ଚଳଚ୍ଚିତ୍ର ଜରିଆରେ ନିଜର ସଙ୍ଗୀତ ସଫର ଆରମ୍ଭ କରିଥିବା ପ୍ରଣବ ପଟ୍ଟନାୟକ ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସଙ୍ଗୀତ ଜଗତକୁ ନିଜ ମଧୁର ସ୍ୱରରେ ସମୃଦ୍ଧ କରିଥିଲେ । ସେ କେବଳ ଚଳଚ୍ଚିତ୍ର ଗୀତ ନୁହେଁ, ବରଂ ଓଡ଼ିଶୀ, ଭଜନ, ସେମି-କ୍ଲାସିକାଲ୍, ଆଧୁନିକ, ପଲ୍ଲୀଗୀତ ଏବଂ ଗଜଲ୍ ଗାଇ ଲକ୍ଷ ଲକ୍ଷ ଶ୍ରୋତାଙ୍କ ମନ ମୋହିଥିଲେ । ତାଙ୍କ ଗାଇଥିବା “ମନ ମାନେନା”, “ସୀତା ରାମ ନାମ”, “ଆଉ ଛୁଆଁନା ଛୁଆଁନା” ଏବଂ “ତୁମେ ଜାଣନା କି ମୁଁ ଜାଣନା” ଭଳି କାଳଜୟୀ ଗୀତଗୁଡ଼ିକ ଆଜି ମଧ୍ୟ ଲୋକଙ୍କ ଓଠରେ ରହିଛି ।

ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ୨୦୧୬ ମସିହାରେ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ବହୁ ରାଷ୍ଟ୍ରୀୟ ଓ ରାଜ୍ୟ ସ୍ତରୀୟ ସମ୍ମାନରେ ମଣ୍ଡିତ ହୋଇଥିଲେ । ତାଙ୍କ ବିୟୋଗରେ ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହି ଦୁଃଖଦ ଘଡ଼ିଏ ରାଜ୍ୟବାସୀଙ୍କ ସହ ତାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଉଛୁ ।