FeaturedLatestNews

ସାର କଳାବଜାରୀ ଧରାପଡିଲେ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ୱର (ସଂକେତ ଟିଭି): ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଥିବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସାରର ଅଭାବ ଯେପରି ନହୁଏ, ସେନେଇ ସରକାରଙ୍କ ପକ୍ଷରୁ କଡ଼ା ନଜର ରଖାଯାଇଛି।

ମନ୍ତ୍ରୀଙ୍କ ଅନୁଯାୟୀ, ଏଯାବତ୍ କୃଷି ବିଭାଗ ୨ ଲକ୍ଷ ୭୬ ହଜାର ୯୭୩ ଟନ୍ ସାର ଯୋଗାଇ ଦେଇଛି। ସେହିପରି ସମବାୟ ବିଭାଗ ପ୍ୟାକ୍ସ ଓ ଲ୍ୟାମ୍ପସଗୁଡ଼ିକୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦେଇସାରିଛି। ବର୍ତ୍ତମାନ ବିଭାଗ ପାଖରେ ୨୮ ହଜାର ୨୯୭ ଟନ୍ ସାର ମହଜୁଦ ରହିଛି।

ଆଗାମୀ ଦିନରେ କୃଷି ବିଭାଗ ଆଉ ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇବ। ପୂର୍ବରୁ ସମବାୟ ବିଭାଗକୁ ୩୫ ପ୍ରତିଶତ ସାର ଦିଆଯାଉଥିବା ବେଳେ ଏବେ ଏହାକୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ସାର କଳାବଜାରୀ ରୋକିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ ସାରର ଯୋଗାଣ ଓ ବିକ୍ରି ଉପରେ ନଜର ରଖିଛନ୍ତି। କଳାବଜାରୀ କରୁଥିବା ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଚାଷୀ ପଞ୍ଜିକରଣ ସମୟରେ ସର୍ଭର ସମସ୍ୟା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, ବର୍ଷା ଯୋଗୁଁ ସର୍ଭର ଡାଉନ୍ ରହୁଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ସୁବିଧା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡ଼ିଲେ ପଞ୍ଜିକରଣର ଶେଷ ତାରିଖ ବଢ଼ାଯିବ।

ସରକାରୀ ସାରରେ ଗଞ୍ଜେଇ ଚାଷ ପ୍ରସଙ୍ଗରେ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରି କହିଛନ୍ତି, “ଧାନ ଚାଷ ପାଇଁ ନେଇ ଗଞ୍ଜେଇ ଚାଷରେ ସାର ବ୍ୟବହାର କଲେ ନିସ୍ତାର ମିଳିବ ନାହିଁ।” ଯେଉଁ ଚାଷୀ ସରକାରୀ ସାର ନେଇ ଗଞ୍ଜେଇ ଚାଷ କରୁଥିବା ଜଣାପଡ଼ିବ, ସେମାନଙ୍କୁ ଆଉ ସାର ଦିଆଯିବ ନାହିଁ। ଏହାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାରର ଅପବ୍ୟବହାର ରୋକିବାକୁ କୃଷି ଓ ସମବାୟ ବିଭାଗ ମିଳିତ ତଦନ୍ତ କରିବେ।