CrimeFeaturedLatestNews

ବାଲେଶ୍ୱରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଏହି ଅପରାଧ ଘଟିଥିବା ଦର୍ଶାଇଛନ୍ତି। ପୋଲିସ ଏହି ଘଟଣାରେ ପୋକ୍ସୋ (POCSO) ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ସ୍ଥାନୀୟ ବିଶ୍ଵେଶ୍ଵର ପାହାଡ଼ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ସେଠାରେ ପୁରୁଷ ବନ୍ଧୁ ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ମିଶି ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ତାଙ୍କୁ ତଳନଗର ନିକଟରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅସହାୟ ଓ ହତାଶ ଅବସ୍ଥାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଛାତ୍ରୀଙ୍କୁ ରାଜପଥ ପାଟ୍ରୋଲିଂ ପୋଲିସ ଦେଖିବାକୁ ପାଇଥିଲା। ସେମାନେ ତାଙ୍କୁ ଉଦ୍ଧାର କରି ଜଣେ ସମ୍ପର୍କୀୟଙ୍କ ଘରେ ପହଞ୍ଚାଇ ଥିଲେ। ଏହାପରେ ପୀଡ଼ିତା ସୋର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଏତଲା ଦେଇଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଏ ସମ୍ପର୍କରେ ସୋର ଥାନା ଆଇଆଇସି ଅନୁରାଗ ମହାନ୍ତି କହିଛନ୍ତି ଯେ, “ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ ପ୍ରକ୍ରିୟା ଚାଲିଛି। ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମାମଲାରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି ଏବଂ ଖୁବ୍ ଶୀଘ୍ର ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ।”