ଓଡ଼ିଶା ଡିଜିପି ଚୟନ ମାମଲାର ଶୁଣାଣି ସେପ୍ଟେମ୍ବର ୧୬କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ (ସଂକେତ ଟିଭି): ଓଡ଼ିଶାର ପୋଲିସ ମହାନିର୍ଦ୍ଦେଶକ (DGP) ଚୟନକୁ ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏହି ସୂଚନା ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ପ୍ରଦାନ କରିଛନ୍ତି। ଖଣ୍ଡପୀଠ ଏହି ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲାରେ ଯୁକ୍ତି ରଖିବା ପାଇଁ ଅଧିକ ସମୟ ମାଗିଥିଲେ, ଯାହାକୁ ଅଦାଲତ ମଞ୍ଜୁର କରିଥିଲେ।
ଏହି ମାମଲାରେ ବରିଷ୍ଠ IPS ଅଧିକାରୀ ଏବଂ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ମଧ୍ୟ ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଶୁଣାଣି ସମୟରେ ସେ ନିଜକୁ ଏହି ମାମଲାର ଜଣେ ‘ପ୍ରଭାବିତ ପକ୍ଷ’ ଭାବେ ସାମିଲ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ, ଓଡ଼ିଶା ସରକାର ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (UPSC) ନିକଟକୁ ପଠାଇଥିବା DGP ପ୍ୟାନେଲ୍ରୁ ତାଙ୍କ ନାମ ବାଦ୍ ପଡ଼ିଛି, ଏବଂ ଚୟନ ପ୍ରକ୍ରିୟାରେ ତାଙ୍କୁ ଅଣଦେଖା କରାଯାଇଛି। ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ତାଙ୍କ ନିଯୁକ୍ତି ଓ ପଦବୀ ଉପରେ ସିଧାସଳଖ ପ୍ରଭାବ ପକାଇପାରେ ବୋଲି ସେ ଦର୍ଶାଇଥିଲେ। ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ପିଟିସନ୍ ଦାଖଲ କରିଛନ୍ତି।
ଅନ୍ୟପକ୍ଷରେ, ଏହି ମାମଲା ପାଇଁ ନିଯୁକ୍ତ ଆମିକସକ୍ୟୁରି (ଅଦାଲତଙ୍କ ସହାୟକ) ମଧ୍ୟ ଆଜି (ସୋମବାର) ଆଉ ଏକ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଗତ ୨ ତାରିଖରେ ପ୍ରତିପକ୍ଷ ଓକିଲ ରାଜୁ ରାମଚନ୍ଦ୍ରନ ରିପୋର୍ଟ ଦାଖଲ କରିବାକୁ ଅଧିକ ସମୟ ମାଗିଥିଲେ, ଯାହାକୁ ଖଣ୍ଡପୀଠ ମଞ୍ଜୁର କରି ଶୁଣାଣି ସେପ୍ଟେମ୍ବର ୭କୁ ଘୁଞ୍ଚାଇଥିଲେ। ତେବେ ଆଜିର ଶୁଣାଣି ପରେ ଏହା ପୁଣି ସେପ୍ଟେମ୍ବର ୧୬କୁ ସ୍ଥଗିତ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର DGP ଚୟନକୁ ନେଇ ଏହି ମାମଲାକୁ ଅଗଷ୍ଟ ୧୧ ତାରିଖରେ ସର୍ବୋଚ୍ଚ ଅଦାଲତ ଶୁଣାଣି ପାଇଁ ସମ୍ମତି ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି। ସେତେବେଳେ ବରିଷ୍ଠ ଆଇନଜୀବୀ ଚିଦାମ୍ବରମ୍ ଖଣ୍ଡପୀଠଙ୍କୁ ଅଭିଯୋଗ କରିଥିଲେ ଯେ, ଓଡ଼ିଶା ସରକାର UPSCକୁ ପଠାଇବାକୁ ଥିବା ପ୍ୟାନେଲରେ ଜଣେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି। ରାଜ୍ୟ ସରକାର ଅଗଷ୍ଟ ୭ ତାରିଖରେ UPSC ବୈଠକ ପୂର୍ବରୁ ଅଧିକାରୀଙ୍କ ତାଲିକା ପ୍ରତ୍ୟାହାର କରିନେଇଥିଲେ।
ଏହି ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ୍ (PIL)ରେ ଅଭିଯୋଗ କରାଯାଇଛି ଯେ, ୨୦୦୬ ମସିହାର ‘ପ୍ରକାଶ ସିଂହ’ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଓଡ଼ିଶା ସରକାର ଜଣେ ଜୁନିଅର ଅଧିକାରୀଙ୍କୁ DGP ପଦ ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକାରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ ହେବ।
