CrimeFeaturedLatestNews

୨୫ ଲକ୍ଷ ଟଙ୍କା ସାଇବର ଠକେଇ: ଗୋଟିଏ ପରିବାରର ୩ ଜଣ ଗିରଫ

ସମ୍ବଲପୁର (ସଂକେତ ଟିଭି): କମ ସମୟରେ ହାଇ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଏକ ଆନ୍ତଃ-ଜିଲ୍ଲା ସାଇବର ଓ ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସମ୍ବଲପୁର ସାଇବର, କ୍ରାଇମ୍ ଏବଂ ଇକୋନୋମିକ୍ ଅଫେନ୍ସ (CC & EO) ଥାନା ପୁଲିସ। ଏହି ଘଟଣାରେ ପୁଲିସ ଗୋଟିଏ ପରିବାରର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ନଗଦ ଟଙ୍କା, ସୁନା ଗହଣା, ଜାଲ୍ ଆଧାର କାର୍ଡ ଏବଂ ନୋଟ୍ ଛାପା ମେସିନ୍ ଭାବେ ବ୍ୟବହୃତ ନକଲି ବ୍ଲୁ-ରେ ମେସିନ୍ ଜବତ କରିଛି। ଏନେଇ ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ଏହି ଘଟଣାରେ ସମ୍ବଲପୁର CC & EO ଥାନାରେ ମାମଲା ନଂ ୨୩ (ତା- ୨୯.୦୬.୨୦୨୬), BNS ର ଧାରା ୩୧୮(୪)/୩୧୯(୨) ଏବଂ IT Act ର ୬୬-D ଅଧୀନରେ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି। ଏମାନଙ୍କ ଭଡ଼ା ଘରୁ ପୋଲିସ ନଗଦ ୧୫ ଲକ୍ଷ ୫୦ ହଜାର ଟଙ୍କା ଓ ୧୨ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ।

ସୁନା ରୁପା ଗହଣାରେ ଗୋଟିଏ ପୁରୁଷ ସୁନା ଚେନ୍, ୩ଟି ମହିଳା ସୁନା ଚେନ୍, ୩ଟି ମହିଳା ସୁନା ମୁଦି, ୩ଟି ପୁରୁଷ ସୁନା ମୁଦି, ୧ ହଳ ସୁନା କାନଫୁଲ ଓ ୧ଟି ସୁନା ନାକଫୁଲ, ରୁପା ଗହଣା ୨ହଳ ଓ ୧ଟି ରୁପା ପାଉଁଜି, ୧ଟି ରୁପା ଚେନ୍ ଏବଂ ରୁପା ପ୍ଲେଟ୍ ରହିଛି।

ଏହା ସହ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ୧୧ଟି ଆଣ୍ଡ୍ରୋଏଡ୍ ମୋବାଇଲ୍, ୯ଟି କି-ପ୍ୟାଡ୍ ମୋବାଇଲ୍, ୧ଟି HP ଲାପଟପ୍, ୧ଟି realme ଟ୍ୟାବ୍, ଜାଲ୍ ଆଧାର କାର୍ଡ, ଅଭିଯୁକ୍ତମାନଙ୍କ ଭିନ୍ନ ଭିନ୍ନ ଛଦ୍ମନାମରେ ଥିବା ୪ଟି ଜାଲ୍ ଆଧାର କାର୍ଡ, ୧ଟି ବ୍ଲୁ-ରେ ମେସିନ୍ (ଯାହାକୁ ଟଙ୍କା ଛାପା ମେସିନ୍ ଭାବେ ଦେଖାଉଥିଲେ), ୧ଟି ଧଳା ରଙ୍ଗର ହୋଣ୍ଡା ଆକ୍ଟିଭା, ୧ଟି ଲାଲ୍ ରଙ୍ଗର ଆରିଷ୍ଟୋକ୍ରାଟ୍ ବ୍ୟାଗ୍ ଏବଂ ଅପରାଧ ସମୟରେ ପିନ୍ଧିଥିବା ପୋଷାକ ରହିଛି।

ଏସପି ମୁକେଶ କୁମାର ଭାମୁଙ୍କ ସୂଚନା ଅନୁସାରେ ଗତ ୨୯ ଜୁନ୍ ୨୦୨୬ ରେ ସମ୍ବଲପୁର CC & EO ଥାନାରେ ଲିପକ କୁମାର ପ୍ରଧାନ (୩୮) ନାମକ ଜଣେ ବ୍ୟକ୍ତି ଅଭିଯୋଗ ଦାୟର କରିଥିଲେ। ଅଭିଯୋଗ ଅନୁଯାୟୀ ନିଜକୁ “ଦିଶା ଅଗ୍ରୱାଲ” ବୋଲି ପରିଚୟ ଦେଇଥିବା ଜଣେ ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁ ଟଙ୍କା ବିନିଯୋଗ କଲେ ମୋଟା ଅଙ୍କର ଲାଭ ମିଳିବ ବୋଲି ପ୍ରଲୋଭିତ କରିଥିଲେ।

ତାଙ୍କ କଥାରେ ପଡ଼ି ଅଭିଯୋଗକାରୀ ଗତ ଜୁନ ୨୪ରେ ଅନୁଗୁଳର ହୋଟେଲ କମଲେଶ କଣ୍ଟିନେଣ୍ଟାଲ୍ ଠାରେ ଦିଶା ଅଗ୍ରୱାଲଙ୍କୁ ୨୫ ଲକ୍ଷ ଟଙ୍କା ହସ୍ତାନ୍ତର କରିଥିଲେ। ଟଙ୍କା ନେବା ପରେ ଦିଶା ଓ ତାଙ୍କ ସହଯୋଗୀ ଭାଇ ଚମ୍ପଟ ମାରିଥିଲେ। ପରେ ଅଭିଯୋଗକାରୀଙ୍କୁ ମିଳିଥିବା ବ୍ୟାଗ୍ ଖୋଲିବାରୁ ସେଥିରେ ନୋଟ୍ ବଦଳରେ କାଗଜ/ନୋଟପ୍ୟାଡ୍‌ର ବଣ୍ଡଲ୍ ରହିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଅଭିଯୋଗକାରୀ ସମ୍ବଲପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପରେ ସାଇବର ଥାନା ପୋଲିସ ତଦନ୍ତ କରି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ କାଇଁଶିର ସିଂପାଲିସ୍ଥିତ ଏକ ଭଡ଼ା ଘରେ ଚଢ଼ାଉ କରି ଝାରସୁଗୁଡ଼ା ଟାଉନ୍ ଥାନା ବାବୁପଡ଼ାର ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝରଣା ବାଦୀ (୩୮), ପିତା- ବାସୁଦେବ ବାଦୀ (ଛଦ୍ମନାମ: ପ୍ରିୟଙ୍କା ସିଂ / ପ୍ରିୟଙ୍କା କୁମାର), ରାଜେଶ ବାଦୀ (୩୨), ପିତା- ବାସୁଦେବ ବାଦୀ (ଛଦ୍ମନାମ: ରାଜକୁମାର ସିଂ), ରାଜକୁମାରୀ ବାଦୀ (୨୪), ପିତା- ବାସୁଦେବ ବାଦୀ (ଛଦ୍ମନାମ: ମାନସୀ ମେହେର)।

Leave a Reply

Your email address will not be published. Required fields are marked *