ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ: ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ ସଂଶୋଧିତ ପାଠ୍ୟପୁସ୍ତକ
ଭୁବନେଶ୍ୱର (ସଂକେତ ଟିଭି):ପାଠ୍ୟପୁସ୍ତକରେ ତ୍ରୁଟି ନେଇ ବିବାଦ ଓ ଆପତ୍ତି ପରେ ଏବେ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ପାଠ୍ୟପୁସ୍ତକ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆବଶ୍ୟକୀୟ ସଂଶୋଧନ ଓ ପରିମାର୍ଜନ ପରେ ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚିବା ଆରମ୍ଭ କରିଛି।
ପର୍ଯ୍ୟାୟକ୍ରମେ ଏହି ବହିଗୁଡ଼ିକୁ ବିଦ୍ୟାଳୟଗୁଡ଼ିକରେ ବଣ୍ଟନ କରାଯାଉଛି। ପୂର୍ବରୁ ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାର ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ଗୁରୁତ୍ୱ ଦେଇ ଆବଶ୍ୟକ ସ୍ଥାନରେ ସଂଶୋଧନ କରାଯାଇ ନୂଆ ସଂସ୍କରଣ ପ୍ରସ୍ତୁତ କରାଯାଇଛି। ଏବେ ନୂତନ ବହି ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କୁ ଏହା ବଣ୍ଟନ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଭାବରେ ପୁନର୍ବାର ଯେପରି ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନରହେ, ସେଥିପାଇଁ ପ୍ରୁଫ୍ରିଡିଂ ଓ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସତର୍କତାର ସହ କରାଯାଇଥିବା କୁହାଯାଉଛି। ନୂଆ ପାଠ୍ୟପୁସ୍ତକ ମିଳିବା ପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଥିବା ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।
ଚଳିତ ନୂଆ ଶିକ୍ଷାବର୍ଷରେ ଓଡ଼ିଶାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ସ୍କୁଲ ପାଠ୍ୟପୁସ୍ତକରେ ହଜାର ହଜାର ଭୁଲ ନଜର ଆସିଥିଲା। ପାଖାପାଖି ୧୬୭୮ରୁ ଅଧିକ ଭୁଲ ଦେଖିବାକୁ ମିଳିଥିଲା। ଯାହା NEPକୁ ଆଧାର କରି ପ୍ରଥମ ଥର ପାଇଁ ସ୍କୁଲର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଥିଲା। ବହିରେ ପରିବର୍ତ୍ତନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଡେରିରେ ପାଠ୍ୟପୁସ୍ତକ ମିଳିଥିଲା। ତେବେ କେଉଁଠି ବନାନ ଭୁଲ ରହିଛି ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ ରହିଥିବା ଭଳି ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା।
ଏପରିକି ଓଡ଼ିଶା ବିଧାନସଭାର ଚିତ୍ର ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ରକୁ ଦର୍ଶାଯାଇଥିଲା। ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ବୋଲି ଦର୍ଶାଯାଇଛି। ଏଭଳି ପାଖାପାଖି ୧୬୭୮ଟି ଭୁଲ ଚିହ୍ନଟ କରାଯାଇଥିଲା। ତେବେ ବଡ଼ ବିବାଦ ସୃଷ୍ଟି ହେବା ପରେ ଗଣଶିକ୍ଷା ବିଭାଗ ସଂଶୋଧନ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଥିଲା। ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପୂର୍ବରୁ ବହି ବଣ୍ଟନକୁ ସ୍ୱାଗତ କରିଛନ୍ତି ଶିକ୍ଷକ ସଂଘ।
ପୁସ୍ତକ ତ୍ରୁଟି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହିତ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଆନୁସାରେ, SCERTର ପୂର୍ବତନ ନିର୍ଦ୍ଦେଶକ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ସହିତ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।
