ସମ୍ବନ୍ଧ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି) : ରାଜ୍ୟର ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମେଗା ସଦସ୍ୟତା ଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତିକମରେ ଜଣଙ୍କୁ ସମବାୟ ସଦସ୍ୟ କରାଇବା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ମ୍ବା ଓ ଆସିକା ଅଞ୍ଚଳର ଆଖୁଚାଷୀଙ୍କ ପାଇଁ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ଆଖୁଚାଷୀମାନେ ଏକର ପିଛା ୧୫ ହଜାର ଟଙ୍କା ଇନପୁଟ୍ ସବସିଡି ପାଇବେ। ଏହାସହିତ ପ୍ରଥମ ଥର ପାଇଁ ପ୍ୟାକ୍ସ ଏବଂ ଲ୍ୟାମ୍ପ୍ସ ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ଆଜି ୨୧ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, ୫୦ଟି କୃଷି ସେବା କେନ୍ଦ୍ର, ୬୦ଟି ଖାଉଟି କେନ୍ଦ୍ର ଏବଂ ୨୫୦ଟି ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ସଦସ୍ୟତା ପଞ୍ଜୀକରଣ ପାଇଁ ଏକ ନୂତନ ମୋବାଇଲ୍ ଆପ୍ ମଧ୍ୟ ଶୁଭାରମ୍ଭ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାର ୧୦୦ ଟଙ୍କା ବୋନସ କଥା କହିକି ଦେଇପାରିଲେ କି। କିନ୍ତୁ ଆମ ସରକାର ଆସୁ ଆସୁ ୮୦୦ ଟଙ୍କା ବୋନସ ଦେଲେ। ବିରୋଧୀଙ୍କ କାମ ବିରୋଧ କରିବା, ସେ ତାହା କରୁଛନ୍ତି। କିନ୍ତୁ ବୋନସ ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଶାଇ ମୋଟ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ଯାହା ଅନ୍ୟ କୌଣସି ରାଜ୍ୟରେ ଦିଆଯାଉନାହିଁ। ସେ ନିଜେ ଜଣେ ଚାଷୀ ବୋଲି କହିଛନ୍ତି। କଲେଜରେ ପାଠ ପଢ଼ୁଥିଲି ଚାଷ କରୁଥିଲି, ଗୁରୁଜୀ ଥିଲି ଚାଷ କରୁଥିଲି, ସରପଞ୍ଚ ଥିଲି ଚାଷ କରୁଥିଲି, ବିଧାୟକ ଥିଲି ଚାଷ କରୁଥିଲି। ବର୍ତ୍ତମାନ ସମୟ ହେଉନାହିଁ କିନ୍ତୁ ଯେତେବେଳେ ସୁଯୋଗ ମିଳୁଛି କରୁଛି।
