ୟୁପିଆଇ କାରବାର ଉପରେ ଚାର୍ଜ: ସୁପ୍ରିମକୋର୍ଟଙ୍କ ରୋକ୍ ମନା
ନୂଆଦିଲ୍ଲୀ (ସଂକେତ ଟିଭି): ୟୁପିଆଇ (UPI) କାରବାର ଉପରେ ଚାର୍ଜ ଲଗାଇବାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ବର୍ତ୍ତମାନ ସୁପ୍ରିମକୋର୍ଟ କୌଣସି ପ୍ରକାର ରୋକ୍ ଲଗାଇବାକୁ ସ୍ପଷ୍ଟ ମନା କରିଦେଇଛନ୍ତି ।
ଫଳରେ ଆସନ୍ତା ୧୫ ଅକ୍ଟୋବରରୁ ୨,୦୦୦ ଟଙ୍କାରୁ ଅଧିକ ଟଙ୍କାର ମର୍ଚ୍ଚାଣ୍ଟ (ବ୍ୟବସାୟୀ) ପେମେଣ୍ଟ ଉପରେ ୦.୪% ଚାର୍ଜ ଲାଗୁ ହେବ ।ତେବେ ଏହି ନୂଆ ନିୟମ ଲାଗୁ କରିବା ପଛର ମୁଖ୍ୟ ଆଧାର କ’ଣ ? ସେନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଡଭୋକେଟ୍ ଅଞ୍ଜନ ଦତ୍ତଙ୍କ ଦ୍ଵାରା ଦାୟର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆବେଦନକାରୀ ଅଞ୍ଜନ ଦତ୍ତ ପ୍ରଶ୍ନ ଉଠାଇଥିଲେ ଯେ, ସରକାର ଜନସାଧାରଣଙ୍କ ସହ କୌଣସି ଆଲୋଚନା ନକରି କେଉଁ ଆଧାରରେ ୨,୦୦୦ ଟଙ୍କାର ସୀମା ସ୍ଥିର କଲେ ? ଏହାସହ UPI ଏବଂ ରୂପେ (RuPay) କାର୍ଡ ପାଇଁ ଅଲଗା ନିୟମ କାହିଁକି ରହିଛି ? ସେନେଇ ମଧ୍ୟ ସେ ଆପତ୍ତି ଜଣାଇଥିଲେ । ଏହି ନିୟମକୁ ରଦ୍ଦ କରିବାକୁ ଆବେଦନ କରାଯାଇଥିଲା ।
ତେବେ ସରକାରଙ୍କ ପକ୍ଷରୁ ଏଏସଜି ଏନ. ଭେଙ୍କଟରମଣ ସ୍ପଷ୍ଟ କରିଛନ୍ତି ଯେ, ସାଧାରଣ ଜନତାଙ୍କ ପରସ୍ପର ମଧ୍ୟରେ ହେଉଥିବା ଟ୍ରାଞ୍ଜାକସନ ଉପରେ କୌଣସି ଚାର୍ଜ ଲାଗିବ ନାହିଁ । ଏପରିକି ଦେଶର ପ୍ରାୟ ୯୬% ଛୋଟ ବ୍ୟବସାୟୀଙ୍କ ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।
