ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍: ନରସିଂହ ମିଶ୍ର
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ସରକାର ଯେଉଁ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଆଗତ କରିଛନ୍ତି, ତାହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ ହୋଇଛି। ଏହି ଅପିଲ୍କୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ବିଚାରପ୍ରକ୍ରିୟାରେ ଏହି ବିଲ୍ ନିଶ୍ଚିତ ଭାବେ କାଟ ଖାଇବ ବୋଲି ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସେ କହିଛନ୍ତି, ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଓଡ଼ିଶା ସେସ୍ ଆକ୍ଟ ତିଆରି କରିଥିଲେ, ଯାହା ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା। କାରଣ ସେହି ଅଧିକାର ରାଜ୍ୟ ସରକାରଙ୍କ ନଥିଲା। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ମୁଁ ଆଇନମନ୍ତ୍ରୀ ଥିଲି। ସେତେବେଳେ ମତେ ଗୋଟିଏ ବିଲ୍ ତିଆରି ଦାୟିତ୍ୱ ଦିଆଯାଇଥିଲା, ତାହା ହେଲା ଟ୍ୟାକ୍ସ ଅନ ମିନେରାଲ ବିୟରିଂ ଲ୍ୟାଣ୍ଡ। ବିଲ୍ ଅନୁସାରେ ଖଣିଜ ଭରା ଜମି ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିବ। ବିଲ୍ର ମୂଳ ଅଂଶ ଥିଲା ଏହା।
ଖଣିଜ ସମ୍ପଦ କହିଲେ ସିନା ବେଆଇନ ହେବ, କିନ୍ତୁ ନୂତନ ବ୍ୟବସ୍ଥା କରାଗଲା ଯେ ଯେଉଁ ଜମି ତଳେ ଖଣି ଅଛି, ତା ଉପରେ ଟ୍ୟାକ୍ସ ନିଆଯିବ। ରାଜ୍ୟ ସରକାର ସୁପ୍ରିମକୋର୍ଟକୁ ଗଲା, କିନ୍ତୁ ସରକାର ହାରିଗଲା। ପରେ ୧୫ ଜାନୁଆରି ୨୦୦୪ରେ ସୁପ୍ରିମକୋର୍ଟ ରାୟ ଦେଲେ ଯେ ରାଜ୍ୟ ସରକାରଙ୍କ ଜମି ଉପରେ ଅଧିକାର ଅଛି। ସେହି ଅଧିକାର ଆମକୁ ମିଳିବା କଥା, କିନ୍ତୁ ମିଳିଲା ନାହିଁ।
ବର୍ତ୍ତମାନ ସୁପ୍ରିମକୋର୍ଟ କହିଛନ୍ତି, ଯଦି ସେହି ଆଇନ ଲାଗୁ କରାଯାଏ, ତେବେ ବର୍ଷକୁ ୧୨ ହଜାର କୋଟି ଟଙ୍କା ରାଜ୍ୟକୁ ଲାଭ ହେବ। ଟାଟା ଷ୍ଟୀଲ୍ ଅନୁସନ୍ଧାନ କରିଥିଲା, ଯାହା ପ୍ରାୟ ୧୭ ହଜାର କୋଟି ଟଙ୍କା କେନ୍ଦ୍ରାଧୀନ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବାକିଆ ଅଛି, ଯାହା ମିଳିବା କଥା, କିନ୍ତୁ ମିଳିଲା ନାହିଁ।
ଏବେ ପୁଣି ଏକ ନୂତନ ରାୟ ପ୍ରକାଶ ପାଇଛି ଯେ ମିନେରାଲ ବିୟରିଂ ଲ୍ୟାଣ୍ଡ ଉପରେ ସରକାର ଟିକସ ପକାଇ ପାରିବ। ଯେଉଁ ଦିନଠୁ ଦାବି ହୋଇଥିଲା, ସେହି ଦିନଠାରୁ ହିସାବ ହୋଇ କେନ୍ଦ୍ର ରାଜ୍ୟକୁ ଦେବା କଥା। କେନ୍ଦ୍ର ସୁପ୍ରିମକୋର୍ଟକୁ କହିଲେ ଯଦି ଏକାଥରକେ ଏତେ ଅର୍ଥ ଦିଆଯିବ, ତେବେ କେନ୍ଦ୍ର ଦେବାଳିଆ ହୋଇଯିବ ଏବଂ ଆମେ ଏକସାଥିରେ ଏତେ ଟଙ୍କା ଦେଇ ପାରିବୁ ନାହିଁ। କେନ୍ଦ୍ର ସରକାର କିସ୍ତି ଆକାରରେ ଅର୍ଥପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପ୍ରାର୍ଥନା କଲେ, ଯାହା ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ଟିକସ ଦେବା କଥା, ରାଜ୍ୟ ମାଗିବା କଥା, କିନ୍ତୁ ରାଜ୍ୟ ମାଗିଲା ନାହିଁ କିମ୍ବା କେନ୍ଦ୍ର ଦେଲା ନାହିଁ। ଫଳରେ ରାଜ୍ୟ ସରକାରଙ୍କ ବିପୁଳ କ୍ଷତି ହେଲା।
ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଦାସ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି। ୧୨ ବର୍ଷରେ କେତେ ମିଲିଅନ ଟନ୍ କୋଇଲା ଓ ଲୁହାପଥର ବେଆଇନ ଭାବେ ଉତ୍ତୋଳିତ ହୋଇ ବିଜେପି ପକେଟ୍କୁ ଯାଇଛି ବୋଲି ଭକ୍ତ ଦାସ ପ୍ରଶ୍ନ ପଚାରିଛନ୍ତି। ଏହା ସହ ଅନ୍ୟ ୩ଟି ପ୍ରଶ୍ନ ପଚାରି ଏହାର ଉତ୍ତର ଦେବାକୁ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିକୁ ଆହ୍ୱାନ ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତିନି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ ଓ ଦେବାଶିଷ ନାୟକ ତଥା କିଶାନ ସେଲ ଅଧ୍ୟକ୍ଷ ଅଭୟ ସାହୁ ଉପସ୍ଥିତ ଥିଲେ।
