ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି): MMDR ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ବହିତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ। ମଙ୍ଗଳବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC) ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ଚାଲିଥିବା ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ। କେନ୍ଦୁଝରରେ ଏକ ବିଶାଳ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଏହା ପରେ ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରାଜ୍ୟରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତକତା କରିଥିବା ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି, MMDR ସଂଶୋଧନ ଆଇନ ରାଜ୍ୟ ଅର୍ଥନୀତି ଉପରେ କୁଠାରଘାତ କରିବ। ସେହିପରି ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ସାଂଘାତିକ ତ୍ରୁଟି ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି। ଏଥିସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ମୁଖ୍ୟ ନିର୍ବାଚନ କମିସନର ନୈତିକତା ଦୃଷ୍ଟିରୁ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।
ଏହି ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟବାସୀ ବହୁ ସଂଖ୍ୟାରେ ସାମିଲ ହେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି। ଏଥିସହ ଇଣ୍ଡିଆ (INDIA) ମେଣ୍ଟରେ ଥିବା ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇବାକୁ ସେ ଆହ୍ୱାନ ଦେଇଛନ୍ତି। ବିଶେଷ କରି ସିପିଆଇ (CPI), ସିପିଆଇ (ଏମ), ସମାଜବାଦୀ ପାର୍ଟି (SP) ଏବଂ ଅନ୍ୟାନ୍ୟ ଦଳଗୁଡ଼ିକୁ ଏହି ପ୍ରସଙ୍ଗରେ କଂଗ୍ରେସ ସହ ଠିଆ ହେବାକୁ ସେ ଅନୁରୋଧ କରିଛନ୍ତି। ଏହି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କଂଗ୍ରେସ ତାର ଆନ୍ଦୋଳନରୁ ଓହରିବ ନାହିଁ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି।
