FeaturedLatestNews

ମହାନଦୀ ଜଳ ବିବାଦ: ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସରକାର ଆଶାବାଦୀ

ଭୁବନେଶ୍ୱର (ସଂକେତ ଟିଭି): ମହାନଦୀ ଜଳ ବିବାଦ ସମାଧାନ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆମ ସରକାର ଗୋଟିଏ ପରେ ଗୋଟିଏ ସୋପାନ ସଫଳତାର ସହ ଅତିକ୍ରମ କରୁଛନ୍ତି। ଗତ ସରକାର ଭଳି ଆମେ ରାସ୍ତାରେ ହାଣ୍ଡି ବାଡେଇ ପ୍ରଦର୍ଶନ କରୁ ନାହୁଁ। ଆମେ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗକୁ ଆଗକୁ ନେଇଛୁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ-ତିନି ବର୍ଷ ମଧ୍ୟରେ ଏହି ଦିଗରେ ଆମେ ଯଥେଷ୍ଟ ଆଗକୁ ଯାଇଛୁ। ଆଜି ମହାନଦୀ ଜଳବିବାଦ ଏଭଳି ଏକ ସ୍ଥିତିରେ ପହଞ୍ଚିଛି ଯେ, ଆମେ ସମ୍ପୂର୍ଣ୍ଣ ଆଶାବାଦୀ ଅଛୁ ଯେ ଏହାର ଏକ ସମାଧାନର ସୂତ୍ର ବାହାରିବ। ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏଥିରେ ସ୍ପଷ୍ଟ ଭାବରେ ନିଜର ଭୂମିକା ନିର୍ବାହ କରୁଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଛି। ଅଧିକାରୀସ୍ତରରେ, ଇଞ୍ଜିନିୟରସ୍ତରରେ ଏବଂ ମନ୍ତ୍ରୀସ୍ତରରେ ମଧ୍ୟ ଆଲୋଚନା ହୋଇଛି।

ସାଧାରଣତଃ ଟ୍ରିବ୍ୟୁନାଲରେ ଜଳବିବାଦର ସମାଧାନ ପାଇଁ ବର୍ଷ ବର୍ଷ ଲାଗିଯାଇପାରେ। ଯଦି ଏହି ସରକାର ଗତ ସରକାର ଭଳି ସେହି ରାସ୍ତାରେ ଯାଇଥାନ୍ତା, ତେବେ ଟ୍ରିବ୍ୟୁନାଲ ବସିଥାନ୍ତା ଏବଂ ବର୍ଷ ବର୍ଷ ଧରି ମାମଲା ଚାଲିଥାନ୍ତା। ରାସ୍ତାକୁ ଓହ୍ଲାଇ କେହି ଆନ୍ଦୋଳନ କଲେ ଜଳ ବିବାଦର ସମାଧାନ ହୋଇଯାଏ ନାହିଁ। ଆଲୋଚନା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ମାଧ୍ୟମରେ ମଧ୍ୟ ଜଳବିବାଦର ସମାଧାନ ହୋଇପାରେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

ଅନ୍ୟପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ, ମହାନଦୀ ଜଳ ବିବାଦକୁ ନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତି ଶାହ, ଛତିଶଗଡ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାକୁ ନେଇ ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂଘ କିଛି ପ୍ରଶ୍ନ କରିବାକୁ ଚାହୁଁଛି। ଉପରମୁଣ୍ଡର ସମସ୍ତ ପ୍ରକଳ୍ପର ସାମୂହିକ ପ୍ରବାହକୁ ବିଚାରକୁ ନିଆଯିବ କି? ଏହାର ବୈଜ୍ଞାନିକ ଆଧାର କ’ଣ ହେବ? ଅଣ ମୌସୁମୀ ସମୟରେ ଓଡ଼ିଶା ପାଇଁ କେତେ ଜଳ ନିଶ୍ଚିତ କରାଯିବ? ଦୁଇ ଦେଶ ଭିତରେ ଯଦି କୌଣସି ବୁଝାମଣା ସ୍ବାକ୍ଷର ହେଉଛି ତାହେଲେ ଏହାର ତଦାରଖ କିଏ କରିବେ?

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ବୈଠକ ହେଉଛି। ହେଲେ ବୈଠକରେ କ’ଣ ଆଲୋଚନା ହେଲା ଏବଂ କ’ଣ ନିଷ୍ପତ୍ତି ହେଲା ତାହାକୁ ସାର୍ବଜନୀନ କରିବାକୁ ଦାବି କରିଛି BJD।

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଲୋକଦେଖାଣିଆ ଭାବରେ ଏହି ବୈଠକ ହେଉଛି। ୨୦୧୪ ମସିହାରୁ କେନ୍ଦ୍ରରେ ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି କିନ୍ତୁ ବହୁତ ଥର ଦାବି ସତ୍ତ୍ବେ ୧୨ ବର୍ଷ ଧରି କୌଣସି ନିଷ୍ପତି ନେଇନଥିଲେ। ଏ ବର୍ଷ ଛତିଶଗଡ଼ ବର୍ଷା ଜଳ ଛାଡ଼ିବା କାରଣରୁ ବନ୍ୟା ହୋଇଛି। ମହାନଦୀ ସହ ଅନେକ ଶାଖା ନଦୀରେ ବନ୍ୟା କାରଣରୁ ଲୋକେ ହଇରାଣ ହୋଇଛନ୍ତି। ବର୍ଷା ଜଳ ଅଧିକ ହେଲେ ଛାଡୁଛନ୍ତି ଖରା ଦିନେ ପାଣି ବନ୍ଦ କରୁଛନ୍ତି।

ସେହିପରି ଛତିଶଗଡ଼ ବେଆଇନ ଭାବରେ ଅନେକ ଡ୍ୟାମ ନିର୍ମାଣ କରିଛି। କର୍ପୋରେଟ ସଂସ୍ଥାର ସ୍ବାର୍ଥ ପାଇଁ ପାଣି ବ୍ୟବହାର ହେଉଛି। ଯେହେତୁ ବର୍ତ୍ତମାନ କେନ୍ଦ୍ର ସହ ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଅଛି ଟ୍ରିପଲ୍ ଇଞ୍ଜିନ ସରକାର ଭାବରେ ସମସ୍ୟାର ସମାଧାନ କରନ୍ତୁ। ଟ୍ରିବ୍ୟୁନାଲର କାର୍ଯ୍ୟକାଳ ସରୁଛି। ତେବେ କାର୍ଯ୍ୟକାଳ ବଢାଇବେ ନା ଆପୋଷ ବୁଝାମଣା କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେଡି।

Leave a Reply

Your email address will not be published. Required fields are marked *