FeaturedLatestNewsPolitics

ରାଜ୍ୟପାଳଙ୍କ ବିବୃତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା: ବିରୋଧୀଙ୍କ କଡ଼ା ନିନ୍ଦା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ୍‌ଙ୍କ ବକ୍ତବ୍ୟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ଶ୍ରୀ ରାମ୍‌ ଦେଇଥିବା ମନ୍ତବ୍ୟକୁ ବିରୋଧୀ ରାଜନୈତିକ ଦଳ ସମେତ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ସୂଚନା ଥାଉ କି, ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜ ମୋହନ ରାମ କହିଛନ୍ତି, “ମୋ ଭଳି ଜଣେ ସାଧାରଣ କର୍ମୀଙ୍କୁ ଦଳ ସ୍ୱୀକୃତି ଦେଇଛି। ସଂଗଠନ ପାଇଁ ମୁଁ କରିଥିବା କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସକୁ ଦଳ ସ୍ୱୀକାର କରିଛି। ଟିକଟ୍‌ ନ ମିଳିବା ସତ୍ତ୍ୱେ ମୁଁ ସଚ୍ଚୋଟତାର ସହ ଦଳ ପାଇଁ ସକ୍ରିୟ ଭାବେ କାମ କରିଚାଲିଥିଲି। ଆଜିକାଲି ଟିକଟ୍‌ ନ ମିଳିଲେ ଅନେକ ଲୋକ ସେହିଦିନ ସନ୍ଧ୍ୟାରେ ହିଁ ଅନ୍ୟ ଦଳକୁ ଚାଲିଯାଉଛନ୍ତି। କିନ୍ତୁ ମୋତେ ତିନିଥର ଟିକଟ୍‌ ମିଳି ନ ଥିଲେ ମଧ୍ୟ ମୁଁ ଦଳ ଛାଡ଼ି ନ ଥିଲି; ବରଂ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ କାମ କରିଥିଲି। ମୋର ଦୃଢ଼ ଆଶା ଥିଲା ଯେ ଦଳ ନିଶ୍ଚିତ ଭାବେ ମୋତେ କୌଣସି ଦାୟିତ୍ୱ ଦେବା ପାଇଁ ବିଚାର କରିବ। ମାତା ରାଣୀଙ୍କ କୃପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଆଶୀର୍ବାଦରୁ ମୋତେ ଏବେ ଏହି ଉପଯୁକ୍ତ ସାମ୍ବିଧାନିକ ପଦବୀ ମିଳିଛି। ମୁଁ ଝାଡ଼ଖଣ୍ଡର ୩ ଥର ଏସ୍‌ସି ମୋର୍ଚ୍ଚା ଅଧ୍ୟକ୍ଷ ଭାବେ କାମ କରିଛି। ମୋର୍ଚ୍ଚାକୁ ଆଗକୁ ବଢ଼ାଇବାକୁ ଅନେକ କାମ କରିଛୁ। ସମାନ ଭାବେ ଓଡ଼ିଶାରେ ମଧ୍ୟ କିପରି ସ୍ଥିତି ଅଛି ଦେଖିବି। ଓଡ଼ିଶାରେ ଏସ୍‌ସି ମୋର୍ଚ୍ଚାକୁ ସକ୍ରିୟ କରାଇବା ସହ ବିଜେପିକୁ କିପରି ଭୋଟ୍‌ ଆସିବ ସେନେଇ ଚିନ୍ତା କରିବି।”

ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବାର ଦିନକ ପରେ ଶ୍ରୀ ରାମଙ୍କ ଏହି ମନ୍ତବ୍ୟ ଉପରେ ବିଭିନ୍ନ ଦଳ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶ୍ରୀ ରାମଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି। ନବୀନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ମନୋନୀତ ବ୍ରଜ ମୋହନ ରାମଙ୍କୁ ହାର୍ଦ୍ଦିକ ସ୍ୱାଗତ। ଦଳୀୟ କାର୍ଯ୍ୟ କରିବା ପାଇଁ ମନୋନୀତ ରାଜ୍ୟପାଳଙ୍କ ଉତ୍ସାହକୁ ଓଡ଼ିଶାବାସୀ ଦେଖୁଛନ୍ତି। ଆଶା, ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଟିକେ ଉତ୍ସାହ ଓ ଶକ୍ତି ପ୍ରଦାନ କରିବେ; ଯାହାଦ୍ୱାରା ସେ ନିରପେକ୍ଷ ଭାବେ ଏବଂ ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିଜ ଦାୟିତ୍ୱ ତୁଲାଇବେ ବୋଲି ନବୀନ ଉଲ୍ଲେଖ କରିଛନ୍ତି।

ସେହିପରି ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ମନ୍ତବ୍ୟକୁ ନିନ୍ଦା କରିବା ସହ ନିରପେକ୍ଷ ଭାବେ ସମ୍ବିଧାନର ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା କରିବା ରାଜ୍ୟପାଳଙ୍କ କାମ ବୋଲି କହିଛନ୍ତି। କୌଣସି ରାଜନୈତିକ ଦଳର ନିର୍ବାଚନୀ ସ୍ୱାର୍ଥକୁ ଆଗକୁ ବଢ଼ାଇବା ନୁହେଁ। ସାମ୍ବିଧାନିକ ପଦପଦବୀ ସବୁବେଳେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହିବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

ଜାତୀୟ ସ୍ତରରେ ମଧ୍ୟ ଶ୍ରୀ ରାମ୍‌ଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଚାଲିଛି। ଏଆଇସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ପୱନ ଖେରା ଏହି ମନ୍ତବ୍ୟକୁ କଡ଼ା ନିନ୍ଦା କରିଛନ୍ତି। ସେ ନିଜ ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ତଥା ବିଜେପି ନେତା ବ୍ରଜ ମୋହନ ରାମ୍‌ ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି ଯେ, ସେ ଓଡ଼ିଶାରେ ବିଜେପିକୁ ଅଧିକ ଭୋଟ୍‌ ଓ ନିର୍ବାଚନୀ ବିଜୟୀ କରିବା ପାଇଁ ନିଜର ସାମ୍ବିଧାନିକ ପଦବୀକୁ ବ୍ୟବହାର କରିବେ। ତାଙ୍କ ପାଇଁ ଜନସାଧାରଣ, ସମ୍ବିଧାନ ଓ ଦେଶଠାରୁ ଦଳ ଊର୍ଦ୍ଧ୍ୱରେ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି। ସେଥିପାଇଁ ତାଙ୍କ ଚେହେରାକୁ ଭଲ ଭାବେ ଦେଖନ୍ତୁ ଓ ମନେ ରଖନ୍ତୁ। ଜଣେ ଦେଶଦ୍ରୋହୀ ଦେଖିବାକୁ ଏମିତି ହୋଇଥାଏ ବୋଲି ଶ୍ରୀ ଖେରା ଉଲ୍ଲେଖ କରିଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୌତ୍ର ମଧ୍ୟ ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।

ଅନ୍ୟପଟେ ଏପରି କୌଣସି ମନ୍ତବ୍ୟ ଦେଇନାହିଁ ବୋଲି ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ୍‌ କହିଛନ୍ତି। ସେ କହିଛନ୍ତି କି, “ମୁଁ କହିଥିଲି ଯେ ସମସ୍ତଙ୍କ ସହିତ ସମନ୍ୱୟ ରଖି କାମ କରିବି। ମୁଁ ଏବେ ଦଳୀୟ ରାଜନୀତିରୁ ଉଦ୍ଧ୍ୱରେ ଅଛି। କିନ୍ତୁ ମୁଁ ଯେଉଁ ଦଳରେ ଥିଲେ, ସେ ମୋର ପୁଞ୍ଜି। ସେହି ଦଳ ପ୍ରତି ମୋର ସର୍ବଦା ଆଗ୍ରହ ଓ ପ୍ରେମ ରହିବ। କିନ୍ତୁ ଏବେ ମୁଁ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବି ନାହିଁ। ହମ୍ ସବକେ ହୈ, ସବ ହମାରେ ହୈ” ବୋଲି କହିଛନ୍ତି ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ।

Leave a Reply

Your email address will not be published. Required fields are marked *