FeaturedGeneralLatest

ଫ୍ରାନ୍ସରେ ହିଂସାତ୍ମକ ଆନ୍ଦୋଳନ: ୫୦୦ରୁ ଊର୍ଦ୍ଧ୍ୱ ପୁଲିସ ଆହତ, ୧୮୦୦ ଗିରଫ

ପ୍ୟାରିସ (ସଂକେତ ଟିଭି): ଫ୍ରାନ୍ସରେ ଦର ଦାମ ଏବଂ ସେବାଗୁଡିକରେ ବୃଦ୍ଧିକୁ ନେଇ ଚାଲିଥିବା ପ୍ରତିବାଦ ରବିବାର ଉଗ୍ରରୂପ ଧାରଣ କରିଛି। ଜଣେ ପ୍ରତିବାଦକାରୀଙ୍କ ମୃତ୍ୟୁକୁ ପରେ ଆନ୍ଦୋଳନକାରୀମାନେ ହିଂସାତ୍ମକ ହୋଇଉଠିଛନ୍ତି। ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମୀ ଆହତ ହୋଇଥିବା ବେଳେ ୧୮୦୦ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଛି।

ଦେଶର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଚାଲିଆସୁଥିବା ବେଳେ ଶନିବାର ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଦୋକାନ ବଜାର ଭଙ୍ଗାରୁଜା କରିଥିଲେ। ଫଳରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ଉପୁଜିଥିଲା। ରବିବାର ପ୍ରତିବାଦ କରୁଥିବା ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ଘଟିବା ପରେ ଲୋକେ ତାତି ଉଠିଥିଲେ।

ଆନ୍ଦୋଳନକାରୀମାନଙ୍କ ଆକ୍ରମଣରେ ୫୦୦ରୁ ଊର୍ଦ୍ଧ୍ୱ ପୁଲିସ ଅଫିସର ଆହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଫ୍ରାନ୍ସରେ ମାସାଧିକାଳ ହେଲା ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ଏବେ ଏଥିରେ ସବୁବର୍ଗର ଲୋକେ ସାମିଲ ହେବାରେ ଲାଗିଛନ୍ତି। ଯାହାଫଳରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି।

ପ୍ୟାରିସ ସହରରେ ମୁଖାପିନ୍ଧା ଆନ୍ଦୋଳନକାରୀମାନେ ସରକାରୀ କାର୍ଯ୍ୟାଳୟ ଓ ଦୋକାନବଜାରରେ ବ୍ୟାପକ ଭଙ୍ଗାରୁଜା କରିବା ପରେ ପୁଲିସ ମଧ୍ୟ ବଳପ୍ରୟୋଗ କରିଛି। ଦେଶରେ ଏପରି ପରିସ୍ଥିତି ଲାଗି ରହିବା ଫଳରେ ରାଷ୍ଟ୍ରପତି ମାକ୍ରନଙ୍କ ଉପରେ ଚାପ ବଢିବାରେ ଲାଗିଛି।

ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲିକର୍ଣ୍ଣୁ ଏହି ଘଟଣା ପାଇଁ ଦେଶର ଅପରାଧୀ ଓ ବାମପନ୍ଥୀ ଉଗ୍ରବାଦକୁ ଦାୟୀ କରିଛନ୍ତି। ଆସନ୍ତା ବର୍ଷ ଦେଶରେ ନିର୍ବାଚନ ହେବାକୁ ଥିବାରୁ ଏହି ଅସାମାଜିକ ତତ୍ତ୍ୱ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଦୃଢ ହସ୍ତରେ ସେମାନଙ୍କୁ ଦମନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *