ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ; ୫୫୦ ଗ୍ରାମ ସୁନା ଓ ବିପୁଳ ସମ୍ପତ୍ତି ଠାବ
ଭୁବନେଶ୍ୱର (ସଂକେତ ଟିଭି): ଭିଜିଲାନ୍ସ ଜାଲରେ ପଡ଼ିଥିବା ଯାଜପୁର ଜିଲ୍ଲା ବଡ଼ଚଣା ରାସ୍ତା ଓ ଗୃହ ଉପ ବିଭାଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କ ବିପୁଳ ସମ୍ପତ୍ତି ଠାବ ହେବାରେ ଲାଗିଛି। ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହେଉଥିବା ବେଳେ ଭିଜିଲାନ୍ସ ଅଧିକ ଛାନଭିନ ଚଳାଇଛି। ତପନଙ୍କ ଘରୁ ଅଧକେଜି ସୁନା ଅଳଙ୍କାର ଥିବା ବେଳେ ବହୁ କୋଟି ଟଙ୍କାର ପ୍ଲଟ୍ ଓ ବହୁତଳ କୋଠା ଠାବ ହୋଇଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, କଟକ ସିଡିଏ ସେକ୍ଟର-୭ରେ ୨ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲା କୋଠା, ପୁରୀ ସିଦ୍ଧମହାବୀରରେ ୩୬ଶହ ବର୍ଗଫୁଟ ଅଞ୍ଚଳରେ ୩ ମହଲା କୋଠା, ଭୁବନେଶ୍ୱର କଣ୍ଟାବାଡ଼ରେ ୨୨ ଶହ ବର୍ଗଫୁଟ ଅଞ୍ଚଳରେ ୨ ମହଲା କୋଠା ଠାବ ହୋଇଛି। ଏଥିସହ କଣ୍ଟାବାଡ଼ ଅଞ୍ଚଳରେ ୧ ଏକର ପରିମିତ ଅଞ୍ଚଳରେ ଏକ ଫାର୍ମ ହାଉସ୍ ଠାବ ହୋଇଛି। ସେହିପରି ତପନଙ୍କ ୩ ବହୁମୂଲ୍ୟ ପ୍ଲଟ୍ ମଧ୍ୟ ଠାବ ହୋଇଛି। ଏହା ମଧ୍ୟରେ ଭୁବନେଶ୍ୱରରେ ଦୁଇଟି ଏବଂ କଟକ ସିଡିଏରେ ଗୋଟିଏ ରହିଛି। ତେବେ ପ୍ଲଟ୍ ଓ କୋଠା ଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ବୈଷୟିକ ଟିମ୍ ପ୍ରୟାସ କରୁଛି।
ସେହିପରି ତପନଙ୍କ ଘରୁ ୫୫୦ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଠାବ ହୋଇଛି। ଏଥିସହ ଦୁଇଟି ଚାରି ଚକିଆ ଯାନ ଓ ଦୁଇଟି ଦୁଇ ଚକିଆ ଯାନ ଠାବ ହୋଇଛି। ଭୁବନେଶ୍ୱର ଏସବିଆଇ ମୁଖ୍ୟ ଶାଖାରେ ତପନଙ୍କ ଏକ ଲକର ଥିବାବେଳେ ତାହାକୁ ଖୋଲାଯିବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ତେବେ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ନିବେଶ ସଂକ୍ରାନ୍ତରେ ଜାଣିବାକୁ ଭିଜିଲାନ୍ସ ଅଧିକ ଖୋଳତାଡ଼ ଚଳାଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳ ସମୟରୁ ଆରମ୍ଭ ହୋଇଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତପନଙ୍କ ଘର ଓ ଅଫିସ ସମେତ କଟକ, ଭୁବନେଶ୍ୱର, ପୁରୀ ଯାଜପୁର (ବଡ଼ଚଣା)ର ୭ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ ଜାରି ରଖିଛି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ପଦକ୍ଷେପ ନିଆଯାଇଛି।
କେଉଁ କେଉଁ ସ୍ଥାନରେ ଚଢ଼ାଉ ହୋଇଥିଲା?
- ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଅଫିସ
- ଭୁବନେଶ୍ୱର କଣ୍ଟାବାଡ଼ରେ ୨ ମହଲା କୋଠା
- କଟକ ୪୨ ମୌଜା ସ୍ଥିତ ଶ୍ୱଶୁର ଘର
- କୋଣାର୍କ ଝିଙ୍କିରିଆ ସ୍ଥିତ ୨ ମହଲା କୋଠା
- ପୁରୀ ସିଦ୍ଧ ମହାବୀରରେ ଥିବା ୩ ମହଲା କୋଠା
- କଟକ ସିଡିଏ ସେକ୍ଟର-୭ରେ ଥିବା ଏକ ୩ ମହଲା କୋଠା
- ଭୁବନେଶ୍ୱର କଣ୍ଟାବାଡ଼ରେ ଥିବା ଏକ ଫାର୍ମ ହାଉସ୍ ସହ ସିମ୍ପ୍ଲେକ୍ସ
