ଅସହ୍ୟ ଗରମରୁ ବଲାଙ୍ଗିରରେ ସ୍କୁଲ କଲେଜ ଛୁଟି
ବଲାଙ୍ଗିର (ସଂକେତ ଟିଭି): ଅସହ୍ୟ ଗରମ କାରଣରୁ ବଲାଙ୍ଗିର ଜିଲ୍ଲାପାଲ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାର ଅଙ୍ଗନଓ୍ବାଡ଼ି, ସ୍କୁଲ, କଲେଜ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନକୁ ୧୮ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ଦିଆଯାଇଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ବଲାଙ୍ଗିର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି।
ବଲାଙ୍ଗିରରେ ତାତି ବଢ଼ିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାତିର ପ୍ରକୋପ ରହୁଛି। ଜରୁରୀ କାମ ନହେଲେ କେହି ଘରୁ ବାହାରୁ ନାହାନ୍ତି। ଦିନ ୧୨ଟା ହେଲେ ରାସ୍ତାଘାଟ ଶୂନଶାନ ରହୁଛି। ଯାତ୍ରୀମାନେ ଗଛ ଛାଇ ଦେଖି କିଛି ସମୟ ରହି ପୁଣି ଯାତାୟାତ କରୁଛନ୍ତି।
ଅଘୋଷିତ ବିଦ୍ୟୁତ କାଟ୍ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦିନ ହେଉ କି ରାତି, ମନଇଚ୍ଛା ବିଦ୍ୟୁତ କାଟୁଛନ୍ତି। ଫଳରେ ଲୋକ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ିଛି। ସହରରେ କେଇ ସ୍ଥାନରେ ଜଳଛତ୍ର ଖୋଲାଯାଇଥିବା ବେଳେ ଆଉ କିଛି ଖୋଲିବାକୁ ଦାବି ହୋଇଛି।
ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ଅବ୍ୟବସ୍ଥା ଘେରରେ। ସକାଳୁ ବିଦ୍ୟୁତ କାଟ୍ ସମୟରେ ଜଳ ଯୋଗାଇ ଦେବା ବେଳେ ଲୋକ ପାଣି ରଖିବା ମୁସ୍କିଲ ହୋଇଛି। ସହରର ବିଭିନ୍ନ ପଡ଼ାରେ ମନଇଚ୍ଛା ଜଳ ଯୋଗାଣ କରୁଛି ପିଏଚ୍ଡି ବିଭାଗ, ଯାହାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
