FeaturedGeneralLatest

ତାମିଲନାଡୁରେ କଂଗ୍ରେସର ବଡ଼ ନିଷ୍ପତ୍ତି, ବିଜୟଙ୍କ ଟିଭିକେକୁ ଦେବ ସମର୍ଥନ

ଚେନ୍ନାଇ (ସଂକେତ ଟିଭି): ତାମିଲନାଡୁରେ ସରକାର ଗଠନ ପାଇଁ କଂଗ୍ରେସ ବଡ଼ ନିଷ୍ପତ୍ତି ନେଇଛି। ତାମିଲନାଡୁ କଂଗ୍ରେସ କମିଟି (ଟିଏନସିସି) ଅଭିନେତା-ନେତା ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବାକୁ ସ୍ଥିର କରିଛି। ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ କଂଗ୍ରେସର ପଲିଟିକାଲ ଆଫେୟାର କମିଟି (ପିଏସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ତାମିଲନାଡୁ ଏଆଇସିସି ଇନଚାର୍ଜ ଗିରିଶ ଚୋଦାନକର ଏକ ବୈଠକ ଡାକି ଟିଭିକେକୁ ସମର୍ଥନ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ବହୁ ବରିଷ୍ଠ କଂଗ୍ରେସ ନେତା ସମର୍ଥନ ଦେବାକୁ ସହମତି ପ୍ରକାଶ କରିଛନ୍ତି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜୟଙ୍କ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଛି।

ଡିଏମକେ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କଂଗ୍ରେସ କହିଛି ଯେ ଦକ୍ଷିଣ ରାଜ୍ୟରେ ଜନାଦେଶ କେବଳ ଗୋଟିଏ ଧର୍ମନିରପେକ୍ଷ ସରକାର ଗଠନ ପାଇଁ ହୋଇଛି। ବିଜେପି କିମ୍ବା ଏହାର ନେତୃତ୍ୱାଧୀନ ଦଳଙ୍କୁ ତାମିଲନାଡୁରେ ସରକାର ଗଠନ କରିବାକୁ ଦିଆଯିବ ନାହିଁ ବୋଲି କଂଗ୍ରେସ ସ୍ପଷ୍ଟ କରିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାମିଲନାଡୁ ପ୍ରଭାରୀ ଗିରିଶ ଚୋଦାନାକର ପ୍ରମୁଖ ଯୋଗ ଦେଇଥିଲେ। ବୈଠକ ପରେ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଗଣମାଧ୍ୟମକୁ ଜଣାଇଲେ ଯେ ଟିଭିକେ ମୁଖ୍ୟ ବିଜୟ ସରକାର ଗଠନ ପାଇଁ କଂଗ୍ରେସର ସହାୟତା ଲୋଡ଼ିଛନ୍ତି।

କେସି ଭେନୁଗୋପାଳ କହିଛନ୍ତି, “ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ପ୍ରତିବଦ୍ଧ। ବିଜେପି କିମ୍ବା ଏହାର ପକ୍ଷଧର ଗୋଷ୍ଠୀଙ୍କୁ ତାମିଲନାଡୁରେ ସରକାର ଗଠନ କରିବାକୁ ଦିଆଯିବ ନାହିଁ। ରାଜ୍ୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ବିଜୟଙ୍କ ନିବେଦନକୁ ସମ୍ମାନ ଜଣାଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଟିଏନସିସିକୁ ନିର୍ଦ୍ଦେଶ ଦିଆଯାଇଛି।”

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଟିଭିକେ ମୁଖ୍ୟ ବିଜୟ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, “ବିରୋଧୀ ଦଳ ନେତାଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ହୃଦୟରୁ ଧନ୍ୟବାଦ। ସାର୍ବଜନୀନ ସେବାରେ ଉତ୍କର୍ଷତା ଓ ରାଜ୍ୟର ସାଂସ୍କୃତିକ ନୀତିର ସଂରକ୍ଷଣ ପାଇଁ ଆମେ ପ୍ରତିବଦ୍ଧ। ରାଜନୀତିକୁ ଦୂରେଇ ରଖି ଆମେ ଜନକଲ୍ୟାଣକୁ ପ୍ରାଥମିକତା ଦେବୁ।”