FeaturedLatestNewsPolitics

ପଶ୍ଚିମବଙ୍ଗ ନେତା ଚୟନ କରିବେ ମୋହନ ମାଝୀ ଓ ଅମିତ ଶାହ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଡ ଦାୟିତ୍ବ ଦିଆଯାଇଛି। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟା ପାଇଁ ତାଙ୍କୁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେପି। ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।

ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବାକୁ ଯାଉଥିବା ବେଳେ କିଏ ହେବେ ପ୍ରଥମ ମୁଖ୍ୟମନ୍ତ୍ରୀ ତା ଉପରେ ରହିଛି ସମସ୍ତଙ୍କ ନଜର। ଏହି ଦୌଡ଼ରେ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ।

ଭାରତୀୟ ଜନତା ପାର୍ଟିର ଜାତୀୟ ମହାସଚିବ ଅରୁଣ ସିଂଙ୍କ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।

ଗତ ଏପ୍ରିଲ ୨୭ରେ ଓଡ଼ିଶାର ନେତା ମନ୍ତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗରେ ଡେରା ପକାଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଗଡାରେ ରୋଡ ଶୋ କରି ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଏହା ସହ ରାଜାରହାଟରେ ଜନ ସମାବେଶରେ ଯୋଗ ଦେଇଥିଲେ। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀମାନଙ୍କ ସହ ରୁଦ୍ଧଦ୍ଵାର ବୈଠକ କରିବା ସହ ମୋହନ ଓଡ଼ିଆ ସମ୍ପ୍ରଦାୟଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ମଧ୍ୟ ମୋହନ ଏକାଧିକ ଥର ପଶ୍ଚିମବଙ୍ଗ ଗସ୍ତ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ଦୁଇ ପ୍ରଭାବଶାଳୀ ଯୁବ ବିଧାୟକ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ ଶିଳ୍ପାଞ୍ଚଳ ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳର ଭୋଟରଙ୍କୁ ଏକଜୁଟ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସୋମବାର ନିର୍ବାଚନ ଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଏହି ବିଜୟରୁ ସଂକଳ୍ପ ନେଉଛୁ ଦକ୍ଷିଣ ଭାରତ ଦଖଲ କରିବୁ। ଏହି ବିଜୟ ଉତ୍ସବ ପତାକା ଉଡାଇବାର ନୁହେଁ, ନୂଆ ସଂକଳ୍ପ ନେବାର ସମୟ। ମୋତେ ଯେଉଁ ନିର୍ବାଚନ ମଣ୍ଡଳୀଗୁଡିକ ଦାୟିତ୍ୱ ଦିଆଯାଇଥିଲା ସେସବୁ ନିର୍ବାଚନ ମଣ୍ଡଳୀରେ ବିଜେପି ବିଜୟ ଲାଭ କରିଛି।”