ନୂଆଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
ନୂଆଦିଲ୍ଲୀ(ସଂକେତ ଟିଭି): ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତା ତଥା ତ୍ରୁଟିକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ”କକ୍ରୋଚ୍ ଜନତା ପାର୍ଟି” (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶନିବାର ସକାଳେ ବିଦେଶରୁ ଭାରତ ଫେରିବା ପରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଏକ ମେଗା ପ୍ରତିବାଦ ପ୍ରଦର୍ଶନର ନେତୃତ୍ୱ ନେଇଛନ୍ତି। ଏହି ଆନ୍ଦୋଳନ ମାଧ୍ୟମରେ ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଥିବା ଏହି ପ୍ରଦର୍ଶନରେ ସାରା ଦେଶରୁ ଆସିଥିବା ଶତାଧିକ ଯୁବକ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ବ୍ୟାପକ ସଂଖ୍ୟାରେ ସାମିଲ ହୋଇଛନ୍ତି। ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି ଦୀପକେ କହିଛନ୍ତି ଯେ, ଏହା ଏକ ଦୀର୍ଘ ସଂଗ୍ରାମ ଏବଂ ସୋସିଆଲ ମିଡିଆରେ ବିଗତ ଏକ ମାସ ଧରି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ଓଲଟା ଆନ୍ଦୋଳନକାରୀଙ୍କ ଆକାଉଣ୍ଟ ହ୍ୟାକ୍ କରି ପୋଷ୍ଟଗୁଡ଼ିକୁ ଡିଲିଟ୍ କରାଯାଉଛି, ମାତ୍ର ଏଭଳି ଦମନମୂଳକ ନୀତି ଦ୍ୱାରା ଯୁବପିଢ଼ିଙ୍କ ସ୍ୱରକୁ ଚପାଇ ଦିଆଯାଇପାରିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ପ୍ରଦର୍ଶନ ସମୟରେ ଆନ୍ଦୋଳନକାରୀମାନେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହିତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି।
ବିଶେଷ କରି ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ପ୍ରଶିକ୍ଷଣ ବିନା ଡିଜିଟାଲାଇଜେସନ୍ ବା ଏଆଇ (କୃତ୍ରିମ ବୁଦ୍ଧିମତା) ପ୍ରଯୁକ୍ତିର ଅପରିପକ୍ଵ ବ୍ୟବହାରକୁ ସେମାନେ ବିରୋଧ କରିଛନ୍ତି। ଆନ୍ଦୋଳନରେ ଯୋଗ ଦେଇଥିବା ଅଭିଭାବକମାନଙ୍କ କହିବା ଅନୁଯାୟୀ, ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁ ସ୍ଥାନରେ ଆଧୁନିକୀକରଣ କରାଯାଉଥିଲେ ମଧ୍ୟ ଅନିୟମିତତାକୁ ରୋକାଯାଇପାରୁନାହିଁ।
ତେଣୁ ଶିକ୍ଷକ ଓ କର୍ମଚାରୀମାନଙ୍କୁ ସଠିକ୍ ଆକଳନ ଓ ପ୍ରଶିକ୍ଷଣ ଦେବା ପରେ ହିଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବା ଉଚିତ୍। ଏହା ବ୍ୟତୀତ ଗତ ତିନି ବର୍ଷ ଧରି ମଣିପୁରରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତି ଯୋଗୁଁ ସେଠାରେ ସ୍କୁଲ ଓ କଲେଜଗୁଡ଼ିକ ସ୍ୱାଭାବିକ ଭାବେ ଚାଲିପାରୁ ନଥିବାରୁ ଛାତ୍ରଛାତ୍ରୀମାନେ ଚରମ ମାନସିକ ଚାପ ମଧ୍ୟରେ ଗତି କରୁଛନ୍ତି, ଯାହା ଉପରେ ତୁରନ୍ତ ଧ୍ୟାନ ଦେବାକୁ ଦାବି ହୋଇଛି।
