୧୨ ତାରିଖ ଯାଏଁ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ ଆଜି ମଧ୍ୟ କାଳବୈଶାଖୀ ପ୍ରଭାବ ରହିଛି। ଫଳରେ ସାରା ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବା ବେଳେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ହେବା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେହିପରି କିଛି ଜିଲ୍ଲାରେ ପବନ ଘଣ୍ଟା ପ୍ରତି ବେଗ ୪୦ରୁ ୫୦ କିଲୋମିଟର ଏବଂ ଆଉ କିଛି ସ୍ଥାନରେ ୩୦ରୁ ୪୦ କିମି ରହିପାରେ। ଓଡ଼ିଶାର ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଆସନ୍ତାକାଲି (ମେ’ ୭) ୧୬ଟି ଜିଲ୍ଲା ଯଥା: ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ। ସେହିପରି ପ୍ରଚଣ୍ଡ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
୮ ତାରିଖରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ଥିବାବେଳେ ହାଲୁକା ବର୍ଷା ସହ ଝଡ଼ି ପବନ ଓ ବଜ୍ରପାତ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସେହିପରି ୯ ତାରିଖରୁ ବର୍ଷାର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ରାଜ୍ୟରେ ଆଗାମୀ ୭ ଦିନ ଯାଏଁ ଅର୍ଥାତ ୧୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସହ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୬ରୁ ୭ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ବେଳେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ ବୋଲି ଆକଳନ କରିଛି ଆଇଏମଡି।
ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ଜିଲ୍ଲାରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସହ ସର୍ବାଧିକ ବର୍ଷା ରାୟଗଡା ଗୁଣୁପୁରରେ ୯୬.୦ ମିଲିମିଟର ରେକର୍ଡ ହୋଇଛି।
୬ରୁ ୧୦ ତାରିଖ ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ବିଜୁଳି, ଝଡ଼ି ପବନ (ପ୍ରତି ଘଣ୍ଟା ୩୦ରୁ ୫୦ କିଲୋମିଟର ବେଗରେ ବହିବ) ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି। ଝାଡ଼ଖଣ୍ଡ ଏବଂ ଓଡ଼ିଶା ଆଗାମୀ ୭ ଦିନ ଯାଏଁ ବର୍ଷା ରହିବ।
