FeaturedGeneralLatestPolitics

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ: ମୁଖ୍ୟମନ୍ତ୍ରୀ ହେବା ପରେ କଲେ ୩ ବଡ଼ ଘୋଷଣା

ଚେନ୍ନାଇ(ସଂକେତ ଟିଭି): ଆଜିଠୁ ତାମିଲନାଡୁରେ ଆରମ୍ଭ ହେଲା ବିଜୟଙ୍କ ରାଜ୍ୟ। ଦକ୍ଷିଣ ଭାରତ ଫିଲ୍ମ ଦୁନିଆର ସୁପରଷ୍ଟାରରୁ ରାଜନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳ ୧୦ଟା ସମୟରେ ଚେନ୍ନାଇର ନେହରୁ ଷ୍ଟାଡିୟମରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଅର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଟିଭିକେ ମୁଖ୍ୟ ଥଲାପତି ବିଜୟଙ୍କ ସହିତ ଆଉ ୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେମାନେ ହେଲେ: ବୁସି ଏନ୍.ଆନନ୍ଦ, ଆଧବ ଅର୍ଜୁନ, କେଜି ଅରୁଣରାଜ, କେଏ ସେଂଗୋଟ୍ଟେୟନ, ପି.ଭେଙ୍କଟ ରମଣ, ସିଟିଆର ନିର୍ମଳ କୁମାର, ଏ. ରାଜମୋହନ, ଟି.କେ ପ୍ରଭୁ ଏବଂ ଏସ୍.କୀର୍ତ୍ତନ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଅଭିନେତ୍ରୀ ତ୍ରିଷା କୃଷ୍ଣନ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା କିଛି ସମୟ ମଧ୍ୟରେ ବିଜୟ ୩ଟି ବଡ଼ ଘୋଷଣା କରିଛନ୍ତି। ସେ ୨୦୦ ୟୁନିଟ୍ ମାଗଣା ବିଜୁଳି, ମହିଳାଙ୍କ ସୁରକ୍ଷା ପାଇଁ ସ୍ପେଶାଲ ଫୋର୍ସ ଏବଂ ଡ୍ରଗ୍ସ ବିରୋଧରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରିବାକୁ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଜୋସେଫ୍ ବିଜୟ ଶପଥ ନେଇଛନ୍ତି। ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରି ୨୦୨୪ରେ ଟିଭିକେ ଗଠନ କରି ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି।