FeaturedGeneralLatestPolitics

ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଷ୍ଟାଲିନଙ୍କ ସହ ସୌଜନ୍ୟ ସାକ୍ଷାତ

ନୂଆଦିଲ୍ଲୀ(ସଂକେତ ଟିଭି): ତାମିଲନାଡ଼ୁରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କୁ ଭେଟିଛନ୍ତି। ଅଲବରପେଟ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ।

ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ହୋଇଛି। ବିଧାନସଭା ନିର୍ବାଚନରେ ଟିଭିକେ ପ୍ରଥମ ଥର ନିର୍ବାଚନ ଲଢ଼ି ୧୦୮ ଆସନରେ ବିଜୟୀ ହୋଇଥିଲା। ବିଜୟ ରବିବାର ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସୂଚନା ଅନୁସାରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା। ବିଜୟ ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସର୍ବପ୍ରଥମେ ଷ୍ଟାଲିନଙ୍କ ଘରକୁ ଯାଇଥିଲେ। ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଡିଏମକକୁ ଅପ୍ରତ୍ୟାଶିତ ଭାବେ କ୍ଷମତାରୁ ହଟାଇ ଟିଭିକେ ସରକାର ଗଠନ କରିଛି।

ବିଜୟ ରବିବାର ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଭାଷଣରେ, ସେ ତାଙ୍କର ବିଜୟକୁ ଧର୍ମନିରପେକ୍ଷ ସାମାଜିକ ନ୍ୟାୟର ଏକ ନୂତନ ଯୁଗର ଆରମ୍ଭ ବୋଲି କହିଥିଲେ। ସେ ପୂର୍ବତନ ଡିଏମକେ ସରକାରକୁ ରାଜ୍ୟର ଆର୍ଥିକ ସ୍ଥିତିକୁ “ଦୁର୍ଭାଗ୍ୟଜନକ ଅବସ୍ଥାରେ” ଛାଡ଼ିଥିବା ଅଭିଯୋଗ କରିଥିଲେ। କହିଥିଲେ ଯେ ତାଙ୍କ ସରକାର ଖୁବଶୀଘ୍ର ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଏକ ଶ୍ୱେତପତ୍ର ପ୍ରକାଶ କରିବେ। ସେ ଦାବି କରିଥିଲେ ଯେ ତାମିଲନାଡୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣରେ ବୁଡ଼ି ରହିଛି।

ଏମକେ ଷ୍ଟାଲିନ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କହିଥିଲେ ନୂଆ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ବୁଝିପାରିବେ ଯେ ଜନସାଧାରଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ପ୍ରକୃତ ପ୍ରଶାସନିକ ଚ୍ୟାଲେଞ୍ଜ କ’ଣ।