FeaturedLatestNews

ବିରଲା ଟାୟର୍ସରେ ନୂଆ ନିଯୁକ୍ତି ବିଜ୍ଞାପନ, ପୁରୁଣା ଶ୍ରମିକଙ୍କ ଦାବି ଅଣଦେଖା

ବାଲେଶ୍ଵର (ସଂକେତ ଟିଭି): ବାଲେଶ୍ବର ବିରଲା ଟାୟର୍ସ କାରଖାନା ପାଇଁ ନୂଆ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ସଫଳ ପ୍ରାର୍ଥୀ (ଏସଆରଏ) ଦାଲ୍ମିଆ ଭାରତ ରେଫ୍ରାକ୍ଟୋରିଜ୍ ଏବଂ ହିମାଦ୍ରୀ ସ୍ପେଶାଲିଟି କେମିକାଲ୍ ପକ୍ଷରୁ ଠିକାଦାରୀ ଜରିଆରେ ନୂଆ କର୍ମଚାରୀ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ କରାଯାଇଛି। ଏହି ନିଯୁକ୍ତି ପାଇଁ ମୂଳତଃ ଟାୟର୍ ଉତ୍ପାଦନ କ୍ଷେତ୍ରରେ କାମ କରିବାକୁ ଦକ୍ଷ ଓ ଅଦକ୍ଷ ଶ୍ରମିକ ଆବଶ୍ୟକ ବୋଲି ବିଜ୍ଞାପନରେ ଉଲ୍ଲେଖ କରାଯାଇଛି। ଏଥିଲାଗି ଆବେଦନ କରିବା ପାଇଁ ବିର୍ଲା ଟାୟାର୍ସ ପରିସରରେ ଆବେଦନକାରୀଙ୍କ ନାହିଁ ନଥିବା ଭୀଡ ଦେଖିବାକୁ ମିଳିଛି ।

ଉକ୍ତ ବିଜ୍ଞାପନ ଅନୁଯାୟୀ ମୋଟ ୫ଟି ପ୍ରମୁଖ ପଦବୀ (ଯଥା– ପ୍ରଡକ୍ସନ୍ ଅପରେଟର, ମେକାନିକ୍, ଇଲେକ୍ଟ୍ରିସିଆନ, ସୁପରଭାଇଜର ଓ ହେଲ୍ପର) ପାଇଁ ଠିକାଦାରୀ ଭିତ୍ତିରେ ନିଯୁକ୍ତି ଦିଆଯିବ। ଆବେଦନକାରୀଙ୍କୁ ଅନଲାଇନ୍ ଜରିଆରେ ଆବେଦନ କରିବାକୁ କୁହାଯାଇଛି। ଏଥିରେ ୧୦ମ ପାସ୍ ଠାରୁ ଆରମ୍ଭ କରି ଡିପ୍ଲୋମା ଧାରୀ ପ୍ରାର୍ଥୀ ଆବେଦନ କରିପାରିବେ।

ଏହି ନୂଆ ବିଜ୍ଞାପନକୁ ନେଇ ବିରଲା ଟାୟର୍ସ ଶ୍ରମିକ ୟୁନିଅନ୍ (ସ୍ୱୀକୃତିପ୍ରାପ୍ତ) ପକ୍ଷରୁ ତୀବ୍ର ପ୍ରତିବାଦ ଉଠିଛି। ୟୁନିଅନ୍ ସଭାପତି ରାଜେନ୍ଦ୍ର ବଳ କହିଛନ୍ତି ଯେ, ଏନସିଏଲଟି ଦ୍ୱାରା ଅନୁମୋଦିତ ପୁନରୁଦ୍ଧାର ଯୋଜନା (ରିଜଲ୍ୟୁସନ୍ ପ୍ଲାନ) ଅନୁଯାୟୀ ବିରଲା ଟାୟର୍ସକୁ “ଚାଲୁ କାରବାର” (ଗୋଇଙ୍ଗ କନ୍ସର୍ଣ୍ଣ) ଭାବେ ପୁନରୁଦ୍ଧାର କରାଯିବ। ଏଥିରେ ପୁରୁଣା ୮.୫ ଲକ୍ଷ କର୍ମଚାରୀଙ୍କ ସେବା ନିରନ୍ତର ରହିବା କଥା। କିନ୍ତୁ ବିଜ୍ଞାପନ ଜରିଆରେ ନୂଆ ଲୋକ ନିଯୁକ୍ତି ଦେବାର ଅର୍ଥ ପୁରୁଣା ଶ୍ରମିକଙ୍କୁ ଅଣଦେଖା କରାଯାଇ ଶ୍ରମ ଆଇନ ଲଙ୍ଘନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଏହାପୂର୍ବେ ଶ୍ରମ ବିଭାଗ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ କଣ୍ଟ୍ରାକ୍ଟ ଲେବର (ନିୟନ୍ତ୍ରଣ ଓ ଉଚ୍ଛେଦ) ଆଇନ୍, ୧୯୭୦ ଅନୁଯାୟୀ ଟାୟର୍ ଉତ୍ପାଦନ ଭଳି ମୂଳ କାର୍ଯ୍ୟରେ ଠିକାଦାରୀ ଶ୍ରମିକ ନିଯୁକ୍ତି ଦେବା ଅବୈଧ। ଏପରିକି ପୂର୍ବରୁ କ୍ୱେସ୍ କର୍ପ୍ ଲିମିଟେଡ୍ ଙ୍କ ଲାଇସେନ୍ସ ବାତିଲ୍ କରାଯାଇଥିଲା। ତଥାପି ନୂଆ ବିଜ୍ଞାପନ ଜାରି ରହିଛି।

ୟୁନିଅନ୍ ପକ୍ଷରୁ ୫ଟି ପ୍ରମୁଖ ଦାବି ରଖାଯାଇଛି:

୧. ନୂଆ ନିଯୁକ୍ତି ବିଜ୍ଞାପନ ତୁରନ୍ତ ବାତିଲ୍ କରାଯାଉ।

୨. କେବଳ ପୁରୁଣା ଶ୍ରମିକଙ୍କୁ ପୂର୍ବ ବେତନ ଓ ସେବା ଶର୍ତ୍ତରେ ନିଯୁକ୍ତି ଦିଆଯାଉ।

୩. ଏନସିଏଲଟି/ଏନସିଏଲଏଟି ନିର୍ଦ୍ଦେଶ ଓ ଅନୁମୋଦିତ ଯୋଜନାକୁ ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଉ।

୪. ବେଆଇନ୍ ଠିକାଦାରୀ ଶ୍ରମ ପ୍ରଥା ବନ୍ଦ କରାଯାଉ।

୫. ପୁରୁଣା ଶ୍ରମିକଙ୍କ ଜୀବିକା, ଚାକିରି ସ୍ଥିରତା ଓ ସାମାଜିକ ସୁରକ୍ଷା ଦିଆଯାଉ।

ଏହି ନୂଆ ବିଜ୍ଞାପନକୁ ନେଇ ଶ୍ରମ ମହଲରେ ପ୍ରଶ୍ନ ଉଠିଛି ଯେ, ଯେତେବେଳେ କୋର୍ଟଙ୍କ ଅନୁମୋଦିତ ଯୋଜନାରେ ପୁରୁଣା ଶ୍ରମିକଙ୍କ ପାଇଁ ସ୍ଥାନ ରହିଛି, ସେତେବେଳେ ନୂଆ ବିଜ୍ଞାପନ ଜରିଆରେ ଭର୍ତ୍ତି କରାଯିବା ଶ୍ରମ ଆଇନ ଓ ଦେବୋଲିଏନ୍ସି କୋଡ୍ର ଉଲ୍ଲଂଘନ କି ନୁହେଁ? ୟୁନିଅନ୍ ପକ୍ଷରୁ ଶ୍ରମ ଆୟୁକ୍ତ ଓ ମୁଖ୍ୟଶାସନ ସଚିବଙ୍କ ପାଖରେ ଅଭିଯୋଗ କରାଯାଇ ବିଜ୍ଞାପନର ଆଇନଗତ ଯାଞ୍ଚ ଦାବି କରାଯାଇଛି।