LatestNews

ତରଭୁଜ ଖାଇ ଶିଶୁର ମୃତ୍ୟୁ, ୪ ଜଣ ଅସୁସ୍ଥ

କେନ୍ଦ୍ରାପଡ଼ା (ସଂକେତ ଟିଭି): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶିଶୁ ସମେତ ମୋଟ ୪ ଜଣ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ମୃତ ଶିଶୁ ଜଣକ ହେଉଛନ୍ତି ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ ସ୍ଵାଧୀନ ସେନାପତି। ତରଭୁଜ ଖାଇବା ପରେ ପରିବାରର ସମସ୍ତଙ୍କ ପେଟରେ ଯନ୍ତ୍ରଣା, ଝାଡ଼ା ଓ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଇଥିଲା।

ଅସୁସ୍ଥମାନଙ୍କ ମଧ୍ୟରୁ ପଞ୍ଚାନନ ସେନାପତି, ଅନନ୍ତ ଚରଣ ସେନାପତି ଓ ସ୍ଵାଗତିକା ସେନାପତି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅନ୍ୟ ଦୁଇଜଣ ବବୃବାହନ ସେନାପତି ଓ ସ୍ଵାଧୀନ ସେନାପତିଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସାଧୀନ ଅବସ୍ଥାରେ ସ୍ଵାଧୀନଙ୍କ ମୃତ୍ୟୁ ହୋଇଛି।

ପରିବାରର ମୁଖ୍ୟ ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୁଜ କିଣି ଆଣିଥିଲେ। ତାହା ଖାଇବା ପରେ ପେଟ ଯନ୍ତ୍ରଣା, ବାନ୍ତି ଓ ଝାଡ଼ା ହେବାରୁ ୫ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ଏଭଳି ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।