ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟଙ୍କ ବଡ଼ ବିଜୟ
ୱାଶିଂଟନ୍(ସଂକେତ ଟିଭି): ଆମେରିକାରେ ଅନୁଷ୍ଠିତ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଦେଶରେ ଚାଲିଥିବା ରେକର୍ଡ ମହଙ୍ଗା ପରିସ୍ଥିତି ଏବଂ ବୈଦେଶିକ ନୀତିକୁ ନେଇ ଭୋଟରଙ୍କ ମଧ୍ୟରେ ଥିବା ଅସନ୍ତୋଷ କାରଣରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ଦଳକୁ ବଡ଼ ଝଟକା ଲାଗିଛି। ବିରୋଧୀ ଡେମୋକ୍ରାଟ୍ ଦଳ ସଂସଦର ଉଭୟ —ସିନେଟ୍ ଏବଂ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସ—ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛି।
ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଡେମୋକ୍ରାଟ୍ ଦଳ ବହୁମତ ହାସଲ କରି ୨୫୮ଟି ଆସନ ଜିତିବା ସହ ନିଜର ପ୍ରଭାବ ବିସ୍ତାର କରିଛି। ଏହା ସହିତ ଡେମୋକ୍ରାଟିକ୍ ନେତା ହକିମ୍ ଜେଫ୍ରିସ୍ ଆମେରିକା ଇତିହାସରେ ପ୍ରଥମ କୃଷ୍ଣକାୟ ‘ସ୍ପିକର’ ହେବାକୁ ଯାଉଛନ୍ତି।
ସେନେଟ୍ରେ ମଧ୍ୟ ଡେମୋକ୍ରାଟମାନେ ବଡ଼ ସଫଳତା ହାସଲ କରିଛନ୍ତି। ଦୀର୍ଘ ୩୦ ବର୍ଷ ପରେ ଟେକ୍ସାସ ଭଳି ରିପବ୍ଲିକାନ୍ ଗଡ଼ରେ ଡେମୋକ୍ରାଟ୍ ପ୍ରାର୍ଥୀ ଜେମ୍ସ ଟାଲାରିକୋ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ କାନସାସ୍ (୧୯୩୨ ପରେ ପ୍ରଥମ ଥର), ଓହିଓ, ନର୍ଥ କାରୋଲାଇନା ଏବଂ ମେନ୍ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଡେମୋକ୍ରାଟ୍ ଦଳ ରିପବ୍ଲିକାନ୍ ଆସନକୁ ଛଡ଼ାଇ ନେଇଛି।
ରାଜ୍ୟପାଳ ନିର୍ବାଚନରେ ମଧ୍ୟ ଡେମୋକ୍ରାଟମାନେ ସଫଳତା ହାସଲ କରିଛନ୍ତି। ଜର୍ଜିଆ ରାଜ୍ୟରେ କେଶା ଲାନ୍ସ ବଟମ୍ସ ପ୍ରଥମ କୃଷ୍ଣକାୟ ମହିଳା ରାଜ୍ୟପାଳ ଭାବେ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି। ଏଥି ସହିତ ନେଭାଡା, ଆୟୋୱା ଏବଂ ଓହିଓରେ ମଧ୍ୟ ଡେମୋକ୍ରାଟ୍ମାନେ ବଡ଼ ବିଜୟ ହାସଲ କରିଛନ୍ତି।
ସଂସଦର ଉଭୟ ସଦନରେ ବିରୋଧୀ ଦଳର ବହୁମତ ଯୋଗୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆଗାମୀ ୨ ବର୍ଷର କାର୍ଯ୍ୟକାଳ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହେବ। ଡେମୋକ୍ରାଟ୍ ଦଳ ଏବେ ସରକାରଙ୍କ ବିଭିନ୍ନ ନୀତିର ଯାଞ୍ଚ କରିବା ସହ ପ୍ରମୁଖ ନିଯୁକ୍ତିକୁ ଅଟକାଇ ପାରିବେ। ଅପରପକ୍ଷରେ, ରାଷ୍ଟ୍ରପତି ଟ୍ରମ୍ପ ଏହି ଫଳାଫଳ ପରେ କହିଛନ୍ତି ଯେ ସେ ନିଜର ‘ଭିଟୋ’ କ୍ଷମତା ପ୍ରୟୋଗ କରି ବିରୋଧୀଙ୍କ ପ୍ରଗତିଶୀଳ ବିଲ ଗୁଡିକୁ ରୋକିବେ।
