Latest

ଶେଷ ଟି-୨୦ରେ ନ୍ୟୁଜିଲାଣ୍ଡକୁ ପରାଜିତ କରି ୩-୦ରେ ସିରିଜ୍ ଜିତିଲା ଭାରତ

କୋଲକାତା ୨୧।୧୧: (ସଂକେତ ଟିଭି) ଭାରତ ତୃତୀୟ ଟି-୨୦ ଅନ୍ତର୍ଜାତୀୟରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ ୩-୦ରେ ଜିତି ନେଇଛି।

କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୪ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୬ ରନ କରିଥିବା ବେଳେ ଇଶାନ କିଶନ ୨୯ ରନ କରିଥିଲେ। ଇଶାନ କିଶନ ୨୧ ବଲ୍‌ରୁ ୬ ଚୌକା ସହ ୨୯ ରନ କରିଥିଲେ। ପୁଣି ଥରେ ସୂର୍ଯ୍ୟକୁମାର ଯାଦବ ସଭିଙ୍କୁ ନିରାଶ କରି ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ରୋହିତ ୩୧ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୫୬ ରନ କରି ଆଉଟ୍ ହୋଇଥିଲେ। ଭେଙ୍କଟେଶ ଆୟର (୨୦) ଏବଂ ଶ୍ରେୟସ ଆୟର (୨୫) ଆଉଟ୍ ହୋଇଥିଲେ। ହର୍ଷଲ ପଟେଲ୍ ୧୧ ବଲ୍‌ରୁ ୧୮ ରନ କରି ହିଟ୍ ଓ୍ଵିକେଟ୍ ହୋଇଥିଲେ। ଦୀପକ ଚହର ଶେଷ ଓଭରରେ ଧୂଆଁଧାର ବ୍ୟାଟିଂ କରି ୧୯ ରନ ସଂଗ୍ରହ କରିବାରୁ ଭାରତ ୭ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି। ଚହର ମାତ୍ର ୮ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୨୧ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ୍ ସାଣ୍ଟନର ୩ଟି ଓ୍ଵିକେଟ୍ ନେଇଥିଲେ। ଟ୍ରେଣ୍ଟ ବୋଲ୍ଟ, ଆଡମ ମିଲନେ ଓ ଇଶ ସୋଢି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ମିଳିଥିଲା।

ଜବାବରେ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ଅକ୍ଷର ପଟେଲ୍ ଏବଂ ହର୍ଷଲ ପଟେଲଙ୍କ ବୋଲିଂର ମୁକାବିଲା କରିନପାରି ୧୭.୨ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଥିଲା। ମାର୍ଟିନ୍ ଗୁପଟିଲ୍‌(୫୧)ଙ୍କ ବାଦ୍ ଦେଲେ ବାକି ବ୍ୟାଟସମ୍ୟାନ ଦଳକୁ ନିରାଶ କରିଥିଲେ। ଡାର୍ଲି ମିଚେଲ୍(୫), ମାର୍କ ଚମ୍ପନ(୦) ଓ ଗ୍ଲେନ ଫିଲିପ୍ସ(୦), ଟିମ୍ ସେଇଫର୍ଟ(୧୭) ,ଜେମ୍ସ ନିଶାନ ୩, ମିଚେଲ୍ ସାଣ୍ଟନର ୨, ଆଡମ ମିଲନେ ୨, ଇଶ ସୋଢି ୯ ରନ କରିଥିଲେ। ମାର୍ଟିନ ଗୁପଟିଲ୍‌ ଏକା ସଂଘର୍ଷ କରି ୩୬ ବଲ୍‌ରୁ ୪ ଚୌକା ଓ ୪ ଛକା ସହ ୫୧ ରନ କରି ଆଉଟ୍ ହୋଇଥିଲେ। ଲୋକି ଫର୍ଗ୍ୟୁସନ ୧୪ ରନ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୩ଟି ଏବଂ ହର୍ଷଲ ପଟେଲ୍ ୨ଟି ଓ୍ଵିକେଟ୍ ନେଇ ମ୍ୟାଚ୍ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।

ମ୍ୟାଚ୍‌ରେ ୯ ରନ ଦେଇ ୩ ଓ୍ଵିକେଟ୍ ନେଇଥିବା ଅକ୍ଷର ପଟେଲ୍ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ପାଇଥିବା ବେଳେ ସିରିଜ୍‌ରେ ସର୍ବାଧିକ ରନ କରିଥିବା ରୋହିତ ଶର୍ମା ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *