ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଉଲ୍ଲଂଘନ: ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ରର ନୋଟିସ୍
ନୂଆଦିଲ୍ଲୀ(ସଂକେତ ଟିଭି): ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରୋଟୋକଲ ଉଲ୍ଲଂଘନ ଏବଂ କାର୍ଯ୍ୟକ୍ରମ ସ୍ଥାନ ପରିବର୍ତ୍ତନ ମାମଲାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କଡ଼ା ନୋଟିସ୍ କରିଛନ୍ତି। ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ସ୍ପଷ୍ଟୀକରଣ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।
କେନ୍ଦ୍ର ଗୃହ ସଚିବଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଆଜି (୮ ମାର୍ଚ୍ଚ) ସନ୍ଧ୍ୟା ୫ଟା ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଦାର୍ଜିଲିଂଠାରେ ଅନୁଷ୍ଠିତ ସାନ୍ତାଳୀ ସମ୍ମିଳନୀ ଅବସରରେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ ତ୍ରୁଟି ଘଟିଥିବା ଅଭିଯୋଗ ହେବା ପରେ ଗୃହ ମନ୍ତ୍ରଣାଳୟ ଆକ୍ସନ ମୁଡ୍ରେ ଆସିଛି।
ପ୍ରକାଶ ଥାଉ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭ ମାର୍ଚ୍ଚ ୨୦୨୬ରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାସ୍ଥିତ ସିଲିଗୁଡ଼ିଠାରେ ୯ମ ଅନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆଦିବାସୀ ସମ୍ପ୍ରଦାୟ ସହିତ ଜଡ଼ିତ ଥିଲା। ପ୍ରଥମେ ସିଲିଗୁଡ଼ି ନିକଟସ୍ଥ ବିଧାନନଗରଠାରେ ଏହା ଆୟୋଜନ ହେବାର ଥିଲା, ଯେଉଁଠାରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହୋଇପାରିଥାନ୍ତା। କିନ୍ତୁ ସୁରକ୍ଷା ଏବଂ ଭିଡ଼ ଜନିତ କାରଣ ଦର୍ଶାଇ ରାଜ୍ୟ ପ୍ରଶାସନ ସେଠାରେ ଅନୁମତି ପ୍ରଦାନ କରିନଥିଲା। ଫଳରେ ଏହି ସମ୍ମିଳନୀକୁ ଗୋସାଇଁପୁରକୁ ସ୍ଥାନାନ୍ତର କରାଯାଇଥିଲା।
ରାଷ୍ଟ୍ରପତିଙ୍କ ଆଗମନ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ କୌଣସି ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିନଥିଲେ। ପ୍ରୋଟୋକଲ ଅନୁଯାୟୀ, ରାଷ୍ଟ୍ରପତିଙ୍କ ରାଜ୍ୟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିମ୍ବା ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତି ରହିବା ଆବଶ୍ୟକ। କିନ୍ତୁ ଏହି ସମ୍ପୂର୍ଣ୍ଣ ଗସ୍ତକାଳରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ନଥିବା ଦେଖିବାକୁ ମିଳିଥିଲା।
ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଟିଏମସି ସରକାର ସମସ୍ତ ସୀମା ଅତିକ୍ରମ କରିଦେଇଛନ୍ତି। ଏହା କେବଳ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଆଘାତ ନୁହେଁ, ବରଂ ଆଦିବାସୀ ସଶକ୍ତିକରଣରେ ବିଶ୍ୱାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଦୁଃଖଦ ସଙ୍କେତ ବୋଲି ସେ ମତ ପୋଷଣ କରିଛନ୍ତି।
