ଗୋଟିଏ ଦିନରେ ହେବନି RI, ଅମିନ ଓ OTET ପରୀକ୍ଷା: ସୁରେଶ ପୂଜାରୀ
ଭୁବନେଶ୍ୱର (ସଂକେତ ଟିଭି): ଗୋଟିଏ ଦିନରେ RI, ଅମିନ ଏବଂ OTET ପରୀକ୍ଷା ହେବାକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବକୁ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦୂର କରିଛନ୍ତି। ଆରଆଇ/ଅମିନ ପରୀକ୍ଷା ୨୮ ତାରିଖରେ ନିର୍ଦ୍ଧାରିତ ହୋଇଥିବା ବେଳେ OTET ପରୀକ୍ଷା ତାରିଖ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ସରିଥିବା ମନ୍ତ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, RI/ଅମିନ ପରୀକ୍ଷା ଶେଷ ପର୍ଯ୍ୟାୟ ପରୀକ୍ଷା ଅଟେ। ଏହି ପରୀକ୍ଷାରେ ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ। ତେଣୁ ଏହାକୁ ଆଗୁଆ ୨୮ ତାରିଖରେ ଆୟୋଜନ କରାଯିବ। ସେହିପରି OTET ପରୀକ୍ଷା ତାରିଖ ବଦଳାଇବାକୁ ନିଷ୍ପତ୍ତି ହୋଇଛି, ଯାହାକୁ ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଥିବା ଚିନ୍ତାର ଅବସାନ ଘଟିଛି।
ସେପଟେ, OTET (ଓଡ଼ିଶା ଶିକ୍ଷକ ପାତ୍ରତା ପରୀକ୍ଷା) ୨୦୨୬ କୁ ସ୍ଥଗିତ ରଖି ନୂଆ ତାରିଖ ଘୋଷଣା କରାଯାଇଛି। ଏବେ ଏହି ପରୀକ୍ଷା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ। ପୂର୍ବରୁ ଜୁନ୍ ୨୮ ତାରିଖରେ ପରୀକ୍ଷା ହେବାକୁ ନୋଟିଫିକେସନ୍ ପ୍ରକାଶ ପାଇଥିଲା, କିନ୍ତୁ RI/ଅମିନ ସହ ତାରିଖ ମେଳ ଖାଉଥିବାରୁ ଏହାକୁ ପରିବର୍ତ୍ତନ କରାଯାଇଛି।
ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, OTET ର ପେପର-୧ ପରୀକ୍ଷା ସକାଳ ୯ ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଏବଂ ପେପର-୨ ପରୀକ୍ଷା ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ଆନୁଷ୍ଠାନିକ ସୂଚନା ପ୍ରଦାନ କରିଛନ୍ତି। ଏହି ପରିବର୍ତ୍ତନ ଯୋଗୁଁ ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ଦିନରେ ନିର୍ଭରରେ ପରୀକ୍ଷା ଦେଇପାରିବେ।
