CrimeFeaturedLatestNews

ପ୍ରେମ ପ୍ରତାରଣା କରି ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଡାକ୍ତର ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ଜଣେ ମହିଳାଙ୍କୁ ପ୍ରେମ ପ୍ରତାରଣା କରି ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଅବିନାଶ ମହାନ୍ତି (୩୧)। ସେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ଡେଙ୍ଗାଓସ୍ତା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି।

ଅଭିଯୁକ୍ତ ଅବିନାଶ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଲୁଚିଥିବା ବେଳେ ଗତକାଲି (ମଙ୍ଗଳବାର) ପୋଲିସ ତାଙ୍କୁ କାବୁ କରିଥିଲା। ତାଙ୍କଠାରୁ ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ମାମଲାରେ ଏୟାରଫିଲ୍ଡ ଥାନାରେ ୨୮୭/୨୦୨୬ ନମ୍ବରରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ଏୟାରଫିଲ୍ଡ ଥାନା ଅଧିକାରିଣୀ ଦୀପିକା ଦେବୀ ରାୟଙ୍କ ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଜଣକ ବିବାହିତ ଏବଂ ଭୁବନେଶ୍ୱରରେ ରୁହନ୍ତି। ୨୦୨୪ ମସିହାରେ ଫେସବୁକ ଜରିଆରେ ଅବିନାଶଙ୍କ ସହ ତାଙ୍କର ସମ୍ପର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସ୍ୱାମୀଙ୍କ ସହ ଅଭିଯୋଗକାରିଣୀଙ୍କ ତିକ୍ତତା ଥିବାରୁ ସେ ଅବିନାଶଙ୍କ ନିକଟତର ହୋଇଥିଲେ। ଅବିନାଶ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସମ୍ପର୍କ ନିବିଡ଼ ହେବାରୁ ଉଭୟ ବିଭିନ୍ନ ସ୍ଥାନରେ ପରସ୍ପରକୁ ଭେଟିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା।

ଅଭିଯୁକ୍ତ ଡାକ୍ତର ଜଣକ ମହିଳାଙ୍କ ଟଙ୍କାରେ ଦୁବାଇ ମଧ୍ୟ ଯାଇଥିଲେ। ଏପରିକି ତାଙ୍କଠାରୁ ୨୫ରୁ ୩୦ ଲକ୍ଷ ଟଙ୍କା ଓ କିଛି ସୁନା ଅଳଙ୍କାର ନେଇଯାଇଥିଲେ। କିଛିଦିନ ହେବ ଅଭିଯୋଗକାରିଣୀ ଅବିନାଶଙ୍କ ବ୍ୟବହାରରେ ପରିବର୍ତ୍ତନ ଅନୁଭବ କରିଥିଲେ। ଅବିନାଶ ତାଙ୍କଠାରୁ ଦୂରେଇ ଯାଇଥିଲେ ଏବଂ ଟଙ୍କା ଓ ସୁନା ଅଳଙ୍କାର ଫେରାଇ ନଥିଲେ। ଟଙ୍କା ଓ ସୁନା ମାଗିବାରୁ ଅଭିଯୁକ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବଂ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲା। ଶେଷରେ ମହିଳା ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଏବେ ଅବିନାଶଙ୍କ ବ୍ୟାଙ୍କ ଆକାଉଣ୍ଟ୍ ଓ ମୋବାଇଲ୍ ଚାଟ୍ ଯାଞ୍ଚ କରୁଛି। ଲକ୍ଷାଧିକ ଟଙ୍କାର କାରବାର ହୋଇଥିବାରୁ ଏହାକୁ ଗୁରୁତ୍ୱ ସହ ଦେଖୁଛି। ଏପରିକି ଅବିନାଶ ଆଉ କିଛି ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ସନ୍ଦେହରେ ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି। କୋର୍ଟଚାଲାଣ କରାଯିବା ପରେ ଅବିନାଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିବା ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି।