CrimeFeaturedLatestNews

ଶିମିଳିପାଳରେ ୪ ଶିକାରୀ ଗିରଫ, ଏଆଇ କ୍ୟାମେରାରୁ ମିଳିଲା ସୂଚନା

ବାରିପଦା (ସଂକେତ ଟିଭି): ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ୟାମେରାର କଡ଼ା ନଜର ଚାରିଜଣ ଶିକାରୀଙ୍କୁ ଧରାଇ ଦେଇଛି । ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ ଅଭୟାରଣ୍ୟ ମଧ୍ୟରେ ଅବୈଧ ପ୍ରବେଶ ଓ ଶିକାରୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ AI କ୍ୟାମେରା ଏବଂ ଇନ୍ଫ୍ରାରେଡ୍ ଟ୍ରାପ୍ କ୍ୟାମେରା ସ୍ଥାପନ କରାଯାଇଛି।

ଗତ ୫ ମାର୍ଚ୍ଚ ରାତି ପ୍ରାୟ ୯ଟା ୪୦ ମିନିଟ୍ ସମୟରେ ଡୁକୁରା ୱାଇଲ୍ଡଲାଇଫ୍ ରେଞ୍ଜ ଅନ୍ତର୍ଗତ ବହଳଦା ସେକ୍ସନ୍ର ଚନ୍ଦନଚତୁରୀ-୨ ବିଟ୍ ଅଞ୍ଚଳର ମାଙ୍କଡ଼ାଘାଟି ଫୁଟପାଥ୍ ନିକଟରେ ଲାଗିଥିବା AI କ୍ୟାମେରାରୁ ଦୁଇଟି ଫଟୋ ଆଲର୍ଟ ମିଳିଥିଲା। ସେହି ଫଟୋଚିତ୍ରରେ ତିନିଜଣ ସନ୍ଦିଗ୍ଧ ଶିକାରୀ ବନ୍ଧୁକ ଧରି ବ୍ୟାଘ୍ର ରିଜର୍ଭର ମୂଳ ଅଞ୍ଚଳ (କୋର ଏରିଆ) ଭିତରେ ବୁଲୁଥିବା ସ୍ପଷ୍ଟ ଦେଖାଯାଇଥିଲା।

ତୁରନ୍ତ ଡୁକୁରା ୱାଇଲ୍ଡଲାଇଫ୍ ରେଞ୍ଜ ଅଧିକାରୀ କ୍ଷେତ୍ରସ୍ଥ କର୍ମଚାରୀମାନଙ୍କୁ ପେଟ୍ରୋଲିଂ ଜୋରଦାର କରି ଶିକାରୀଙ୍କୁ ଚିହ୍ନଟ ଓ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୋଲିସ ସହାୟତାରେ ଚଢ଼ାଉ କରି ଧିରେନ୍ଦ୍ର ମାଲିକ (ଅଲିଆସ୍ ବେଣ୍ଡାଲ) ନାମକ ଜଣଙ୍କୁ ତାଙ୍କ ଘର ସମ୍ମୁଖରୁ ଅଟକ ରଖାଯାଇଥିଲା।

ପଚରାଉଚରା ସମୟରେ ଧିରେନ୍ଦ୍ର ତାଙ୍କ ସହଯୋଗୀମାନଙ୍କ ନାମ ସୁନିଲ ଭକ୍ତା, ସାହାଦେବ ମାଲିକ ଓ ରାମଚନ୍ଦ୍ର ହାଁସଦା ବୋଲି ସୂଚନା ଦେଇଥିଲେ। ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରା ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି।

ସମସ୍ତ ଅଭିଯୁକ୍ତଙ୍କୁ ବାରିପଦା ସିଜେଏମ୍ ଅଦାଲତରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଯାଇଛି। ଏହି ଘଟଣାରେ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।