ଏଲପିଜି ଦରବୃଦ୍ଧି ବିରୋଧରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଦରଦାମ ଏବଂ ରାନ୍ଧଣା ଗ୍ୟାସ (ଏଲପିଜି)ର ମୂଲ୍ୟବୃଦ୍ଧି ବିରୋଧରେ ଆଜି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଜଧାନୀରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ତିନୋଟି ଛାମୁଆ ସଂଗଠନ – ମହିଳା, ଯୁବ ଏବଂ ଛାତ୍ର ଶାଖା ମାଷ୍ଟର କ୍ୟାଣ୍ଟିନ ଛକରେ ଏକତ୍ରିତ ହୋଇ ସରକାରଙ୍କ ବିରୋଧରେ ସୋରସୋର ପ୍ରଦର୍ଶନ କରିଥିଲେ।
ଏହି ବିକ୍ଷୋଭ ସମୟରେ ବିଜେଡି ମହିଳା ଶାଖା ପକ୍ଷରୁ ଏକ ଅଭିନବ ପ୍ରତୀକାତ୍ମକ ପ୍ରଦର୍ଶନ କରାଯାଇଥିଲା। ଗ୍ୟାସର ମୂଲ୍ୟବୃଦ୍ଧି ଯୋଗୁଁ ଜନସାଧାରଣଙ୍କ ଘରର ଚୁଲି ଲିଭିଯାଉଥିବା ଅଭିଯୋଗ ଆଣି ମହିଳା କର୍ମୀମାନେ ରାଜପଥରେ ଚୁଲି ଜାଳି ରୋଷେଇ କରି ନିଜର ବିରୋଧ ଜଣାଇଥିଲେ। ବିଜେଡି ଅଭିଯୋଗ କରିଛି ଯେ, କେନ୍ଦ୍ରର ମୋଦୀ ସରକାର ହେଉ କି ରାଜ୍ୟର ମୋହନ ମାଝୀ ସରକାର, ଉଭୟେ ମିଳିତ ଭାବେ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି।
ବିକ୍ଷୋଭକାରୀଙ୍କ ଅଭିଯୋଗ, ଦରଦାମ ନିୟନ୍ତ୍ରଣ କରିବାରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାମ୍ପ୍ରତିକ ସମୟରେ ଘରୋଇ ଏଲପିଜି ସିଲିଣ୍ଡର ଦର ୬୦ ଟଙ୍କା ଏବଂ ବ୍ୟବସାୟିକ ସିଲିଣ୍ଡର ଦର ୧୧୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ଗ୍ୟାସ ସିଲିଣ୍ଡରର ଘୋର ଅଭାବ ଦେଖାଦେଇଛି, ଯାହା ଫଳରେ ସାଧାରଣ ଲୋକେ ଦୁଇ ମାସ ଧରି ବୁକିଂ କରି ମଧ୍ୟ ଗ୍ୟାସ ପାଉନାହାନ୍ତି। ଏହା ଯୋଗୁଁ ଲୋକଙ୍କ ହାଣ୍ଡି ଅଣ୍ଡାଳି ହୋଇପଡ଼ିଛି ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମତ।
ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହି ଅବସରରେ କହିଛନ୍ତି, “ବିଜେପି ସରକାର ହେଉଛି ଲୁଟେରା ଓ ଅପାରଗ ସରକାର। ଗତ ୧୮ ମାସ ହେଲା କ୍ରମାଗତ ଭାବେ ଦରଦାମ ବଢ଼ି ଚାଲିଛି। ଅନ୍ତର୍ଜାତୀୟ ଯୁଦ୍ଧକୁ ଆଳ କରି ସରକାର ଦାୟିତ୍ବରୁ ଖସିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ମୂଲ୍ୟ ନିୟନ୍ତ୍ରଣ କରିବାର ନୈତିକ ଅଧିକାର ସେମାନେ ହରାଇ ସାରିଲେଣି।” ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ କହିଛନ୍ତି ଯେ, କୋଭିଡ଼ ସମୟରେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବ୍ୟାରେଲ ପିଛା ୫୦ ଡଲାରକୁ ଖସିଥିଲା, ସେତେବେଳେ ଭାରତରେ ଦର କମାଯାଇ ନଥିଲା। ଏବେ ଯୁଦ୍ଧର ବାହାନା ଦେଖାଇ ସରକାର ଗରିବଙ୍କ ପକେଟ ଲୁଟୁଛନ୍ତି।
ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ସମସ୍ତ ଜିଲ୍ଲାର କଲେକ୍ଟରେଟ୍ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ବିଧାନସଭା ଘେରାଉ କରାଯିବ ବୋଲି କୁହାଯାଇଛି। ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ସଂଗଠିତ କରି ଏହି ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାର ଯୋଜନା ଦଳ କରିଛି।
ଅନ୍ୟପଟେ, ରାଜଧାନୀର ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନେ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗାଣରେ ବ୍ୟାଘାଘ ଘଟିଛି। ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ର ସୂଚନା ମୁତାବକ, ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ ବ୍ୟବସାୟିକ ଗ୍ୟାସ୍ ଯୋଗାଣ ବନ୍ଦ ହୋଇସାରିଲାଣି। ଯଦି ଏହି ସ୍ଥିତି ଲାଗି ରହେ, ତେବେ ଆଗାମୀ ୨ ଦିନ ମଧ୍ୟରେ ଭୁବନେଶ୍ବରରେ ମଧ୍ୟ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି।
