ରାଜ୍ୟସଭା ନିର୍ବାଚନ: କ୍ରସ୍ ଭୋଟିଂ ଆଶଙ୍କାରେ ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ଘୋଡ଼ା ବେପାରର ଭୟ ସେତିକି ବଢ଼ିବାରେ ଲାଗିଛି। କ୍ରସ ଭୋଟିଂ ଆଶଙ୍କାରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ନିଜ ବିଧାୟକଙ୍କୁ ବିଶ୍ବାସକୁ ନେଇ ପାରୁନଥିବାର ଦେଖାଯାଉଛି। ଫଳରେ ପ୍ରଥମେ ହ୍ବିପ୍ ଜାରି କରାଯାଇଥିବାବେଳେ ଏବେ ବିଧାୟକମାନଙ୍କୁ ଓଡ଼ିଶା ବାହାରକୁ ନିଆଯାଇଛି।
ସୂଚନାନୁଯାୟୀ, କଂଗ୍ରେସ ନିଜର ୮ରୁ ୯ ଜଣ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇଯାଇଛି। ପିସିସି ସଭାପତି ଭକ୍ତ ଦାସ ବେଙ୍ଗା ଏହି ବିଧାୟକମାନଙ୍କୁ ନେଇ ରାଜ୍ୟ ବାହାରକୁ ଯାଇଥିବା ଜଣାପଡ଼ିଛି। ଏହି ତାଲିକାରେ ପବିତ୍ର ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ ଏବଂ ମଙ୍ଗୁ ଖିଲ ପ୍ରମୁଖ ସାମିଲ ଅଛନ୍ତି। ଆସନ୍ତା ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବାବେଳେ ଶ୍ରୀ ବେଙ୍ଗା ଏହି ସମସ୍ତ ବିଧାୟକଙ୍କୁ ନେଇ ମାର୍ଚ୍ଚ ୧୫ରେ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି।
ଅନ୍ୟପଟେ, ବିଜେଡି ପକ୍ଷରୁ ପୂର୍ବରୁ ହ୍ବିପ୍ ଜାରି କରାଯାଇ ସାରିଛି। ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ କୌଣସି ବିଧାୟକ ଭୁବନେଶ୍ବର ନ ଛାଡ଼ିବାକୁ ବିଜେଡି ହ୍ବିପ୍ ଜାରି କରିଛି। ଏପରିକି ଦଳ ଯେଉଁ ବିଧାୟକମାନଙ୍କୁ ନେଇ ସନ୍ଦେହ କରୁଛି, ସେମାନଙ୍କୁ ନବୀନ ନିବାସକୁ ଡକାଇ ଦଳ ପ୍ରତି ଅନୁଗତ ରହିବାକୁ ଶପଥ ପାଠ କରାଯାଉଛି।
ଚତୁର୍ଥ ଆସନ ହାସଲ କରିବାକୁ ଶାସକ ବିଜେପି, ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ସଂଖ୍ୟାଗରିଷ୍ଠତାରେ ବିରୋଧୀ ଦଳ ଭାରୀ ଥିଲେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ୨୦୦୨ର ବିଜୟ ଦୋହରାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନାହିଁ। ଖୋଦ୍ ଦିଲ୍ଲୀପ ରାୟ ମଧ୍ୟ ଏହା କହି ସାରିଛନ୍ତି। ଦିଲ୍ଲୀପଙ୍କୁ ବିଜେପି ଖୋଲା ସମର୍ଥନ କରିଥିବାବେଳେ ବିରୋଧୀ ବିଧାୟକଙ୍କ ସମର୍ଥନ ମିଳିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପଟେ ବିଜେଡି ଏବଂ କଂଗ୍ରେସର ମିଳିତ ସମର୍ଥନରେ ଚତୁର୍ଥ ପ୍ରାର୍ଥୀ ଭାବରେ ଡକ୍ଟର ଦତ୍ତେଶ୍ବର ହୋତା ମଇଦାନରେ ଅଛନ୍ତି।
