FeaturedGeneralLatest

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସଚିବ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

କୋଲକାତା (ସଂକେତ ଟିଭି): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ ଚନ୍ଦ୍ରନାଥ ରଥ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରାଜ କୁମାର ସିଂଙ୍କୁ ସିବିଆଇ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ରାଜକୁମାର ଓରଫ ରାଜ ସିଂ ହରିଦ୍ବାରରୁ ଦିଲ୍ଲୀ ଫେରାର ହେଉଥିବା ସମୟରେ ଛପର ଟୋଲ ପ୍ଲାଜା ନିକଟରେ ତାକୁ ଧରାଯାଇଛି । ରାଜକୁମାର ବଲିଆ ଜିଲ୍ଲାର ବୋଲି ଜଣାପଡିଛି ।

ରାଜକୁମାରର ସୂଚନା ପାଇବା ପରେ ଅତିରିକ୍ତ ଏସପି ରାଜେଶ କୁମାର ମୁଜାଫରନଗର ପୋଲିସକୁ ଖବର ଦେଇଥିଲେ । ମୁଜାଫରନଗର ଏସଏସପି ସଞ୍ଜୟ କୁମାର ବର୍ମାଙ୍କ ନେତୃତ୍ବରେ ଛପର ପୋଲିସ ଷ୍ଟେସନର ଏକ ଟିମ ନାକାବନ୍ଦୀ କରି ଚେକିଂ ଆରମ୍ଭ କରିଥିଲା । ଏହି ସମୟରେ ଟୋଲ ପ୍ଲାଜା ନିକଟରେ ଏକ କାରରୁ ରାଜକୁମାରକୁ ଧରାଯାଇଥିଲା ।

ଗିରଫ ପରେ ଛପର ପୋଲିସ ରାଜକୁମାରକୁ କୋର୍ଟରେ ହାଜର କରାଇଛି । ଏହାପରେ ତାକୁ ଦିଲ୍ଲୀ ଅଣାଯାଇ ୨୪ ଘଣ୍ଟିଆ ରିମାଣ୍ଡରେ ନେବ ସିବିଆଇ ଟିମ । ଏହି ଘଟଣାରେ ପୂର୍ବରୁ ପଶ୍ଚିମବଙ୍ଗ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା । ମାମଲାର ଗୁରୁତ୍ବକୁ ଦେଖି ସିବିଆଇ ତଦନ୍ତ ଦାୟିତ୍ବ ନେଇଥିଲା ।

ରାଜକୁମାରଙ୍କ ଗିରଫ ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୪କୁ ଛୁଇଁଛି । ପୂର୍ବରୁ ଗିରଫ ୩ ଅଭିଯୁକ୍ତଙ୍କୁ ମେ ୨୩ ଯାଏଁ ହେପାଜତକୁ ନେଇଛି ସିବିଆଇ । ଏହି ଘଟଣାରେ ଅଧିକାଂଶ ଅଭିଯୁକ୍ତ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳର ଦୁଇ ଦିନ ପରେ ଅର୍ଥାତ୍ ମେ ୬ରେ ମଧ୍ୟମଗ୍ରାମରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଚନ୍ଦ୍ରନାଥଙ୍କୁ ହତ୍ୟା କରାଯାଇଥିଲା । ଚନ୍ଦ୍ରନାଥଙ୍କ ଗାଡି ସାମନାରେ ହଠାତ୍ ଏକ ସିଲଭର ରଙ୍ଗର କାର ଆସି ଅଟକିଥିଲା । ତାଙ୍କ ଗାଡିର ବେଗ କମିବା ପରେ ଦୁଇ ଜଣ ବାଇକରେ ଆସି ଆଗରେ ବସିଥିବା ଚନ୍ଦ୍ରନାଥଙ୍କ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ତାଙ୍କ ଡ୍ରାଇଭର ଗୁରୁତର ହୋଇଥିବାବେଳେ ଚନ୍ଦ୍ରନାଥ ସେଠାରେ ଢ଼ଳି ପଡ଼ିଥିଲେ ।