FeaturedLatestNewsPolitics

ନୀତିନ ନବୀନଙ୍କ ଓଡ଼ିଶା ଗସ୍ତ: କୋର୍ କମିଟି ବୈଠକରୁ ପଞ୍ଚାୟତ ନିର୍ବାଚନକୁ ଗୁରୁମନ୍ତ୍ର

ଭୁବନେଶ୍ୱର (ସଂକେତ ଟିଭି): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗତକାଲି (ରବିବାର) ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତା ସ୍ୱାଗତ କରିଥିଲେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ନୀତିନ ନବୀନଙ୍କର ପ୍ରଥମ ଓଡ଼ିଶା ଗସ୍ତ।

ନୀତିନ ନବୀନ ଆଜି (ସୋମବାର) ସକାଳ ୮:୩୦ରେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି। କୋର କମିଟିରେ ଦଳର ପ୍ରମୁଖ ଏବଂ ବରିଷ୍ଠ ନେତାମାନେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ପ୍ରମୁଖ କୋର କମିଟି ବୈଠକରେ ଯୋଗ ଦେଇଛନ୍ତି। ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ କୁମାର ମହାନ୍ତି କୋର କମିଟି ବୈଠକରେ ଉପସ୍ଥିତ ଅଛନ୍ତି।

ଏହି ବୈଠକର ମାତ୍ର ଦୁଇ ଘଣ୍ଟା ପରେ, ୧୦:୩୦ରେ ଆଇଆଇଟି ଜଟଣୀ ନିକଟସ୍ଥ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହା ଅଭିଯାନ-୨୦୨୬ ତାଲିମ ଶିବିରକୁ ମଧ୍ୟ ଉଦଘାଟନ କରିବେ।

ବୈଠକ ଏବଂ କାର୍ଯ୍ୟକ୍ରମ ପରେ, ନୀତିନ ନବୀନ ଅପରାହ୍ନ ୧.୧୫ରେ ପ୍ରଭୁଙ୍କ ଆଶୀର୍ବାଦ ପାଇଁ ପୁରୀକୁ ଯାତ୍ରା କରିବେ। ଶ୍ରୀମନ୍ଦିରରେ ପୂଜା କରିବା ପରେ, ସେ ପୁରୀର ଲୋକସଭା ସାଂସଦ ତଥା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ତାଳବଣିଆ ମଧୁସୂଦନ ନଗର ସ୍ଥିତ ବାସଭବନକୁ ଯିବେ। ସମ୍ବିତ ପାତ୍ରଙ୍କ ବାସଭବନରେ, ନୀତିନ ନବୀନ ମହାପ୍ରଭୁଙ୍କ ପବିତ୍ର ‘ମହାପ୍ରସାଦ’ ସେବନ କରିବେ।

ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ଏବଂ ମହାପ୍ରସାଦ ସେବନ କରିବା ପରେ, ନୀତିନ ନବୀନ ଭୁବନେଶ୍ୱର ଫେରିବେ। ଭୁବନେଶ୍ୱର ଫେରିବା ପରେ, ସେ ଅପରାହ୍ନ ୪:୦୦ଟାରେ ରାଜ୍ୟ ପଦାଧିକାରୀ ଏବଂ ବିଭିନ୍ନ ଦଳୀୟ ମୋର୍ଚ୍ଚାର ସଭାପତିମାନଙ୍କ ସହିତ ସାକ୍ଷାତ କରିବେ ଏବଂ ସଂଗଠନର କାର୍ଯ୍ୟକାରିତା ବୁଝିବେ। ଠିକ୍ ଦୁଇ ଘଣ୍ଟା ପରେ, ସନ୍ଧ୍ୟା ୬ଟାରେ, ତାଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି। ସେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ଏହି ବୈଠକକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ସରିଲା ବିଜେପି କୋର୍ କମିଟି ବୈଠକ। ବୈଠକରେ ନୀତିନ୍ ନବୀନ ଦେଲେ ଟାସ୍କ। ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ପଞ୍ଚାୟତ ଦଖଲ ଲାଗି ଦଳୀୟ ନେତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି ନୀତିନ୍ ନବୀନ। ତିନୋଟି ସୂତ୍ର ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ – ସରକାର, ସଙ୍ଗଠନ ଏବଂ ସମନ୍ୱୟ। ସରକାର କିପରି ଗତିଶୀଳ ହେବ, କିପରି ଲୋକଙ୍କ ପାଇଁ କାର୍ଯ୍ୟ କରିବ ସେ ନେଇ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷେ ବିଜେପି ସଂଗଠନ କିପରି ସୁଦୃଢ ହେବ, ତୃଣମୂଳ ସ୍ତରରେ ପହଞ୍ଚିବ ତା ଉପରେ ଗୁରୁତ୍ୱ ଦେବା ସହ ଏ ନେଇ ବିଧାୟକମାନଙ୍କ ସହ ଆଲୋଚନା କରିବେ। ଶେଷରେ ସରକାର ଓ ସଂଗଠନ ମଧ୍ୟରେ କିପରି ସମନ୍ନୟ ରଖି କାମ କରାଯିବ ତା ଉପରେ ମଧ୍ୟ ଜୋର୍ ଦେଇଛନ୍ତି ନୀତିନ୍ ନବୀନ।

ସକାଳ ୮:୩୦ରେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟ କୋର କମିଟି ବୈଠକରେ ଯୋଗ ଦେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ, ‘ସଂଗଠନ ପାଇଁ ଯେତେ ପାରୁଛ କର। ଅଳ୍ପରେ ସନ୍ତୁଷ୍ଟ ହୁଅ ନାହିଁ। ସୁଭଦ୍ରା, ଆୟୁଷ୍ମାନ ଭଳି ଅନ୍ୟ ସେବା ଘରେ ଘରେ ପହଞ୍ଚାଅ। ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ହିଁ ଦଳର ସବୁଠାରୁ ବଡ ପ୍ରଚାର। ସଂଗଠନକୁ ସୁଦୃଢ କରିବା ସହ ନୂଆ ଓ ପୁରୁଣା କର୍ମୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସାରା ରାଜ୍ୟରେ କିପରି ପଦ୍ମ ଫୁଟିବ ସେ ନେଇ କାମ କର’ ବୋଲି ପରାମର୍ଶ ଦେଇଛନ୍ତି ନୀତିନ ନବୀନ।

ବିକଶିତ ଓଡ଼ିଶା ଗଠନର ରୋଡ ମ୍ୟାପ ନେଇ ମିଳିଲା ପରାମର୍ଶ। କୋର କମିଟି ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କଠାରୁ ଗୁରୁମନ୍ତ୍ର ପାଇବା ପରେ ରାଜ୍ୟ ବିଜେପି ଶିବିରରେ ବେଶ ଉତ୍ସାହ ଦେଖା ଦେଇଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଆମର ଲକ୍ଷ୍ୟ ପଞ୍ଚାୟତ ନିର୍ବାଚନ। ଏବେ ଯାହା କରିବୁ ତାହାର ପ୍ରଭାବ ପଞ୍ଚାୟତ ନିର୍ବାଚନ ଉପରେ ପଡିବ। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ ମ୍ୟାପ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ୫ଟି ପରାମର୍ଶ ଦେଇଛନ୍ତି।” ଦଲାଲ ଓ ମଧ୍ୟସ୍ଥି ବ୍ୟବସ୍ଥାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି।

ବୈଠକ ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସ୍ପଷ୍ଟ କହିଛନ୍ତି, ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ଯୋଜନା ହିଁ ଦଳର ସବୁଠାରୁ ବଡ ପ୍ରଚାର। ଦଲାଲ ଓ ମଧ୍ୟସ୍ଥି ବ୍ୟବସ୍ଥାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି।” ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, “ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଟାସ୍କ ଦେଇ ଯାଇଛନ୍ତି। ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ଵୟ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି।” କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “କେନ୍ଦ୍ରୀୟ ସଭାପତି ଯାହା ମାର୍ଗଦର୍ଶନ ଦେଇଛନ୍ତି ତାହାକୁ ଆମେ ପାଳନ କରିବୁ। ସଂଗଠନକୁ ଆହୁରି ମଜବୁତ କରାଯିବ।”