ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରାପ୍ତବୟସ୍କ ଝିଅ ସ୍ଵାଧୀନ ଭାବେ ବଞ୍ଚିବାକୁ ପାଇବେ ସ୍ଵାଧୀନତା
କଟକ (ସଂକେତ ଟିଭି): ଜଣେ ପ୍ରାପ୍ତବୟସ୍କ ବ୍ୟକ୍ତି ଯଦି ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ। ଏପରି ଝିଅଙ୍କୁ ଶ୍ଵଶୁରଘର ବା ବାପା-ମା’ଙ୍କ ପାଖରେ ରହିବାକୁ ବାଧ୍ୟ କରିବା ଭଳି ଆଇନରେ ବ୍ୟବସ୍ଥା ନାହିଁ। ଏହା କହିବା ସହିତ ଝିଅକୁ ଖୋଜି ବାହାର କରିବାକୁ ବାଧ୍ୟ କରିବା ପାଇଁ ମା’ଙ୍କ ତରଫରୁ ଦାୟର ହେବିୟସ କର୍ପସ ପିଟିସନ୍କୁ ହାଇକୋର୍ଟ ଖାରଜ କରିଛନ୍ତି।
ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ରାୟରେ ଉଲ୍ଲେଖ ରହିଛି ଯେ ନିଜ ଜୀବନ ସଂକ୍ରାନ୍ତରେ ପ୍ରାପ୍ତବୟସ୍କ ଯୁବତୀ ନିଷ୍ପତ୍ତି ନେଇପାରିବେ। ଯଦି ଜଣେ ପ୍ରାପ୍ତବୟସ୍କ ମହିଳା ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ଦିଆଯାଇ ପାରିବ ନାହିଁ।
ଆବେଦନ ଅନୁଯାୟୀ, ଆବେଦନାକାରୀଙ୍କ ବିବାହିତା ଝିଅ ନିଜ ଇଚ୍ଛାରେ ଶ୍ବଶୁରଘର ଛାଡ଼ି ଚାଲିଯିବା ସହିତ ଏକ ଦୂର ସ୍ଥାନରେ ରହୁଛନ୍ତି। ତାଙ୍କ ବୈବାହିକ ବିବାଦ ସଂକ୍ରାନ୍ତ ମାମଲା ସିଭିଲ କୋର୍ଟରେ ବିଚାରାଧୀନ ରହିଛି। ୨୦୨୪ରେ ଝିଅ ଜଣକ ଥାନାରେ ହାଜର ହୋଇ ନିଜ ଶ୍ବଶୁରଘର ଓ ବାପା-ମା’ଙ୍କ ନିକଟରେ ରହିବାକୁ ଆଗ୍ରହୀ ନଥିବା କହିଥିଲେ। ସେ ଏକାକୀ ରହୁଥିବା ଓ ସ୍ବାବଲମ୍ବୀ ବୋଲି ପୋଲିସକୁ ଜଣାଇଥିଲେ।
ଏହା ସତ୍ତ୍ବେ ଏକ ବର୍ଷରୁ ଅଧିକ ସମୟ ହେବ ପରିବାର ସଦସ୍ୟ ଯୁବତୀଙ୍କ ଖୋଜଖବର ପାଉ ନଥିବା ଓ ତାଙ୍କ ସ୍ଥିତି ନେଇ ଚିନ୍ତିତ ଥିବା ଦର୍ଶାଇ ତାଙ୍କ ମାଆ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ। ହେଲେ ଏହି ମାମଲାରେ ଯୁବତୀ ଜଣକ ବେଆଇନ ଭାବେ ଅଟକ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି। ପ୍ରାପ୍ତ ବୟସ୍କ ହେବାପରେ ସେ ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନେଇଛନ୍ତି।
ଏଣୁ ତାଙ୍କୁ ଖୋଜି ବାହାର କରିବାକୁ ବା ଏ ସଂପର୍କିତ ତଥ୍ୟ ପ୍ରମାଣ ପାଇବାକୁ ହେବିୟସ କର୍ପସ ପିଟିସନକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ମାମଲାଟି ଖାରଜ କରିଛନ୍ତି।
