ରାଜ୍ୟସଭା ନିର୍ବାଚନରେ କଂଗ୍ରେସର ୩ ବିଧାୟକ କଲେ କ୍ରସ ଭୋଟିଂ : ଭକ୍ତ ଦାସ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି କଂଗ୍ରେସର ୩ ବିଧାୟକଙ୍କ କ୍ରସ ଭୋଟିଂ। ଏହି ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ ସ୍ପଷ୍ଟ କରିଛନ୍ତି ଯେ ଦଳର ୩ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି, ଯାହା ଦଳ ପାଇଁ ବଡ଼ ଆଘାତ ସଦୃଶ।
ଭକ୍ତ ଦାସଙ୍କ ଅଭିଯୋଗ ଅନୁଯାୟୀ, ରମେଶ ଜେନା, ସୋଫିଆ ଫିର୍ଦୋଷ ଓ ଦାଶରଥୀ ଗମାଙ୍ଗ କ୍ରସ ଭୋଟିଂ କରିଛନ୍ତି। ସେ କହିଛନ୍ତି, “ରମେଶ ଜେନା କ୍ରସ ଭୋଟିଂ କରିବେ ବୋଲି ମୁଁ ବିଶ୍ୱାସ କରୁ ନଥିଲି। କିନ୍ତୁ ଏହା ଘଟିଛି।”
ଏହି ଘଟଣାର ତୀବ୍ର ନିନ୍ଦା କରି ପିସିସି ସଭାପତି କହିଛନ୍ତି ଯେ ଏହି ୩ ବିଧାୟକ ଦଳ ବିରୋଧୀ କାର୍ଯ୍ୟ କରି ନିଜର ସମ୍ମାନ କ୍ଷୁଣ୍ଣ କରିଛନ୍ତି। ତୁରନ୍ତ ଏହି ଘଟଣାକୁ ଗୁରୁତ୍ୱ ସହକାରେ ନେଇ AICC (ଅଖିଳ ଭାରତୀୟ କଂଗ୍ରେସ କମିଟି)କୁ ଟେଲିଫୋନରେ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଭକ୍ତ ଦାସ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, “ବିଧାନସଭାରେ ଆମେ ସେମାନଙ୍କ ସହ ଆଉ ବସିବୁ ନାହିଁ।” ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ୩ ବିଧାୟକଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯିବ। ସେମାନଙ୍କର ସଭ୍ୟ ପଦ ରଦ୍ଦ କରିବା ପାଇଁ ବାଚସ୍ପତିଙ୍କୁ ଚିଠି ଲେଖାଯିବ ଏବଂ ଆବଶ୍ୟକ ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବାକୁ ମଧ୍ୟ ପଛାଇବେ ନାହିଁ ବୋଲି ସେ କହିଛନ୍ତି। ଏଥିସହ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟରେ ସମସ୍ତ ତଥ୍ୟ ରଖିବେ ବୋଲି ମଧ୍ୟ ଭକ୍ତ ଦାସ ଉଲ୍ଲେଖ କରିଛନ୍ତି।
