FeaturedGeneralLatest

ହର୍ମୁଜ୍ ପ୍ରଣାଳୀ ଉତ୍ତେଜନା: ସୁରକ୍ଷିତ ଫେରିଲା ଜଗ୍ ଲଡକି, ଫସି ରହିଛନ୍ତି ୨୨ ଭାରତୀୟ ଜାହାଜ

ନୂଆଦିଲ୍ଲୀ(ସଂକେତ ଟିଭି): ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସାମୁଦ୍ରିକ ଉତ୍ତେଜନା ଭାରତର ଶକ୍ତି ଯୋଗାଣ ଉପରେ ଗଭୀର ପ୍ରଭାବ ପକାଇଛି। ଏହି ପରିପ୍ରେକ୍ଷୀରେ, ଭାରତୀୟ ପତାକା ବିଶିଷ୍ଟ ତୈଳ ଟ୍ୟାଙ୍କର୍ ‘ଜଗ୍ ଲଡକି’ ୮୦ ହଜାର ଟନ୍ ମର୍ବାନ୍ ଅଶୋଧିତ ତୈଳ ସହ ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି। ୟୁଏଇର ଫୁଜୈରା ବନ୍ଦରରେ ତୈଳ ଲୋଡ୍ କରୁଥିବା ସମୟରେ ଇରାନ ଏହି ଜାହାଜ ଉପରେ ଆକ୍ରମଣ କରିଥିଲେ ହେଁ, ସୌଭାଗ୍ୟବଶତଃ ଏହାର କୌଣସି କ୍ଷତି ହୋଇନଥିଲା। ଘଟଣାସ୍ଥଳରେ ତୈଳ କାରବାର ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା, ମାତ୍ର ପରେ ଜାହାଜଟି ରବିବାର ଫୁଜୈରାହ ବନ୍ଦରରୁ ବାହାରି ଭାରତୀୟ ନୌସେନାର କଡ଼ା ସୁରକ୍ଷା ମଧ୍ୟରେ ନିଜ ଯାତ୍ରା ସମ୍ପୂର୍ଣ୍ଣ କରିଛି।

ଏହାପୂର୍ବରୁ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର୍ ଶିବାଲିକ୍ ଏବଂ ନନ୍ଦା ଦେବୀ ମଧ୍ୟ ଇରାନର ହରମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଭାରତ ଫେରିଛନ୍ତି। ତେବେ ବର୍ତ୍ତମାନ ସ୍ଥିତି ଏତେ ସରଳ ନୁହେଁ। ଅତ୍ୟନ୍ତ ସମ୍ବେଦନଶୀଳ ହର୍ମୁଜ୍ ପ୍ରଣାଳୀ ନିକଟରେ ଭାରତ ଆସୁଥିବା ୨୨ଟି ଭାରତୀୟ ଜାହାଜ ଫସି ରହିଥିବା ଖବର ସାମ୍ନାକୁ ଆସିଛି। ଏହି ଜାହାଜଗୁଡ଼ିକ ମଧ୍ୟରୁ ୬ଟିରେ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଏବଂ ୪ଟିରେ ଅଶୋଧିତ ତୈଳ ରହିଛି, ଯାହା ଭାରତର ଶକ୍ତି ନିରାପତ୍ତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି ସଙ୍କଟ ଏବଂ ଶକ୍ତି ଯୋଗାଣ ବ୍ୟାହତ ନ ହେବା ପାଇଁ ଭାରତ ସରକାର ବ୍ୟାପକ କୂଟନୈତିକ ପ୍ରୟାସ ଜାରି ରଖିଛନ୍ତି। ଫସି ରହିଥିବା ଜାହାଜଗୁଡ଼ିକ ପାଇଁ ସୁରକ୍ଷିତ ମାର୍ଗ ସୁନିଶ୍ଚିତ କରିବା ଲାଗି ବୈଦେଶିକ ମନ୍ତ୍ରଣାଳୟ ଇରାନ, ଆମେରିକା, ଇସ୍ରାଏଲ ଏବଂ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଅନ୍ତର୍ଗତ ଦେଶଗୁଡ଼ିକ ସହ ନିରନ୍ତର ଆଲୋଚନା ଚଳାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ ଏହାର ପୁଷ୍ଟି କରି କହିଛନ୍ତି ଯେ, ପଶ୍ଚିମ ଏସିଆର ଦେଶଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗ ଜାରି ରହିଛି। ଭାରତର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଶକ୍ତି ସୁରକ୍ଷା ଏବଂ ସାମୁଦ୍ରିକ ପରିବହନ ମାର୍ଗକୁ ସୁରକ୍ଷିତ ରଖିବା।